ମେଡିକାଲ କଲେଜ ସମସ୍ୟା ନେଇ ଦାବିପତ୍ର

ବାରିପଦା ଅଫିସ,୨୯।୭- ମୟୂରଭଞ୍ଜ ଜିଲାରେ ସ୍ବାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇଥିଲା। ମାତ୍ର ଏହି ମେଡିକାଲ କଲେଜ ଓ ହସ୍ପିଟାଲ ଏବେ ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଭଳିି ଅଭିଯୋଗ କରିଛି ମୟୂରଭଞ୍ଜ ମୁକ୍ତି ମୋର୍ଚ୍ଚ। ଜିଲା ସଭାପତି ଧରମରାଜ ହାଁସଦାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳଙ୍କ ଜରିଆରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସଂଗଠନ ପକ୍ଷରୁ କରାଯାଇଥିବା ଅଭିଯୋଗ ଅନୁଯାୟୀ ଗତ ୩ ମାସ ମଧ୍ୟରେ ୧୩ ଜଣ ପ୍ରସୂତି ମହିଳା ଏବଂ ୧୧୮ ଶିଶୁ ମୃତ୍ୟୁବରଣ କରିଛନ୍ତି। ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଓ ରୋଗୀଙ୍କ ପ୍ରତି କର୍ମଚାରୀଙ୍କ ଦୁର୍ବ୍ୟବହାର ଘଟଣା ସବୁବେଳେ ନଜରକୁ ଆସୁଛି। ମହିଳା ଓ ଶିଶୁମାନଙ୍କୁ ଏକ ସ୍ବାସ୍ଥ୍ୟକର ପରିବେଶରେ ଚିକିତ୍ସା କରିବା ପରିବର୍ତ୍ତେ ଶଯ୍ୟା ଅଭାବରୁ ବାରଣ୍ଡାରେ ଚିକିତ୍ସା କରାଯାଉଛି। ସେହିପରି ଜିଲାରେ ଥିବା ସମସ୍ତ ଚିକିତ୍ସାଳୟ ପାଇଁ ୭୫ଟି ଆମ୍ବୁଲାନ୍ସ ଥିବା ବେଳେ ଏଥିରୁ ୧୩ଟି ଅଚଳ ହୋଇପଡିଛି। ଫଳରେ ରୋଗୀମାନେ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷେ ମୟୂରଭଞ୍ଜ ଜିଲା ଏକ ବଣପାହାଡ ଘେରା ଅଞ୍ଚଳ ହୋଇଥିବା ବେଳେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ରୋଗୀଙ୍କ ମୃତ୍ୟୁ ହେଉଥିବା ନଜିର ରହିଛି। ସେହିପରି ମେଡିକାଲ କଲେଜର ମଦର ଓ ଚାଇଲ୍ଡ ହସ୍ପିଟାଲ କୋଠାର ୨ଟି କୋଠା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇ ନାହିଁ। ମେଡିକାଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟମନ୍ତ୍ରୀ ଏହି ଅବ୍ୟବସ୍ଥାଗୁଡିକୁ ବିଚାରକୁ ନେଇ ତୁରନ୍ତ ସମାଧାନ ଲାଗି ପଦକ୍ଷେପ ଗ୍ରହଣ କରିବାକୁ ମୋର୍ଚ୍ଚା ଦାବି କରିଛି।