ମେଦବହୁଳତା ଯୋଗୁ କମୁଛି ଛୋଟପିଲାଙ୍କ ମନେରଖିବା ଶକ୍ତି

ଓ୍ବାଶିଂଟନ,୧।୧: ଖାଦ୍ୟପେୟ ତଥା ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁ କେତେକ ଛୋଟ ପିଲାଙ୍କଠାରେ ମେଦବହୁଳତା ଦେଖାଯାଉଛି। ଏହାର ପ୍ରଭାବରେ ସେମାନଙ୍କ ମନେ ରଖିବା ଶକ୍ତି କମିଯାଉଛି। ଏନେଇ ନିକଟରେ ଆମେରିକାର ଓ୍ବେରମାଣ୍ଟ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି। ଏହାର ରିପୋର୍ଟ ଇତିମଧ୍ୟରେ ପ୍ରକାଶ ପାଇଛି। ଛୋଟ ପିଲାଙ୍କଠାରେ ଦେଖାଦେଉଥିବା ମେଦବହୁଳତା ସ୍ମୃତିଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ଏଥିରେ ଉଲ୍ଲେଖ ହୋଇଛି। ଗବେଷକମାନେ ୧୦ ହଜାର ପିଲାଙ୍କ ଉପରେ ଦୀର୍ଘ ୧୦ ବର୍ଷ ଧରି ଅଧ୍ୟୟନ କରି ଏହା ଜାଣିପାରିଛନ୍ତି। ଅଧ୍ୟୟନରେ ପ୍ରତି ୨ ବର୍ଷରେ ସମ୍ପୃକ୍ତ ଛୋଟପିଲାଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ଏହା ଉପରେ ପରୀକ୍ଷା ନିରୀକ୍ଷା କରାଯାଇଥିଲା। ସେହିପରି ପିଲାଙ୍କ ସେରେବ୍ରଲ୍‌ କୋଟେକ୍ସ୍‌ର ସ୍କାନିଂ କରାଯାଇଥିଲା। ଜଣାପଡ଼ିଥିଲା ମେଦବହୁଳ ପିଲାଙ୍କଠାରେ ବିଏମ୍‌ଆଇ ଅଧିକ ଥିବାବେଳେ ସେରେବ୍ରଲ୍‌ କୋଟେକ୍ସ୍‌ ପତଳା ରହିଥାଏ। ତେବେ ଶରୀର ଓଜନ କମିବା ସହିତ ସେରେବ୍ରଲ୍‌ କୋଟେକ୍ସ୍‌ ମୋଟା ହେବାରେ ଳାଗିଥାଏ। ସେରେବ୍ରଲ୍‌ କୋଟେକ୍ସ୍‌ ମୋଟାଥିବା ପିଲାଙ୍କ ସ୍ମୃତି ଶକ୍ତି ଅଧିକ ରହିଥାଏ ବୋଲି ଗବେଷଣା ରିପୋର୍ଟରେ ଉଲ୍ଲେଖ ରହିଛି।

Share