ମେଧାବୀ ଛାତ୍ରଙ୍କୁ ନାମଲେଖା ପାଇଁ ମିଳିଲା ସହାୟତା

ଆନନ୍ଦପୁର,୪।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାପାଳ ଆଶିଷ ଠାକରେ କୃଷ୍ଣ ଚନ୍ଦ୍ର ହେମ୍ବ୍ରମ୍‌ ନାମକ ଜଣେ ମେଧାବୀ ଛାତ୍ରଙ୍କୁ ଉଚ୍ଚଶିକ୍ଷା ପାଇଁ ନାମଲେଖା ବାବଦରେ ସହାୟତା ଯୋଗାଇଦେଇଛନ୍ତି। ଜିଲାପାଳଙ୍କ ଏପରି ପଦକ୍ଷେପକୁ ସମ୍ପୃକ୍ତ ଛାତ୍ରଙ୍କ ପରିବାର ଲୋକେ କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତ ପଞ୍ଚୁଗୋଛିଆ ଗ୍ରାମର ବାପଛେଉଣ୍ଡ କୃଷ୍ଣ ଜଣେ ମେଧାବୀ ଓ ଭିନ୍ନକ୍ଷମ ଛାତ୍ର ଅଟନ୍ତି। ଜବାହର ନବୋଦୟ ବିଦ୍ୟାଳୟ, ହଦଗଡରେ ଦଶମ ଓ ଯୁକ୍ତ୨ ପରୀକ୍ଷାରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲେ। ଏବେ ସେ ଉଚ୍ଚଶିକ୍ଷା ପାଇଁ ନାମଲେଖାଇବା ବାବଦରେ ୨୨,୩୭୫ ଟଙ୍କା ଆବଶ୍ୟକ ପଡିଥିଲା। ଯାହାକି ପୈଠ କରି ଉଚ୍ଚଶିକ୍ଷା ଲାଭ କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା। ଏନେଇ ଏକ ରିପୋର୍ଟ ଧରିତ୍ରୀରେ ତା୨୯।୭।୨୦୧୯ରିଖରେ ପ୍ରକାଶ ପାଇଥିଲା। ଘସିପୁରା ବିଡିଓ ଡ. ମଧୁସ୍ମିତା ସାମନ୍ତରାୟ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିଲେ। ପରେ ଜିଲାପାଳ ଠାକରେ କୃଷ୍ଣ ଚନ୍ଦ୍ରଙ୍କ ନାମ ଲେଖା ବାବଦରେ ୨୨୩୭୫ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସୁରଞ୍ଜିକା ବେହେରା କହିଛନ୍ତି ଯେ, ଜିଲାପାଳଙ୍କ ନିର୍ଦ୍ଦେଶରେ ଉକ୍ତ ଛାତ୍ରଙ୍କ ଜମାଖାତାରେ ନାମଲେଖା ବାବଦରେ ଆର୍ଥିକ ସହାୟତା ପୈଠ କରାଯାଇଛି। ଜିଲାପାଳଙ୍କ ଏପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।