‘ମେମୋରାଲାଇଜ୍ଡ’ କରି ରଖାଗଲା ସୁଶାନ୍ତଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବେ ଅଫେରା ରାଇଜର ପଥିକ ହୋଇସାରିଛନ୍ତି ସତ। ହେଲେ ତାଙ୍କ ସ୍ମୃତି ଆଜିବି ତାଙ୍କ ପ୍ରଶଂସକଙ୍କୁ ଅନ୍ୟମନସ୍କ କରୁଛି। ଅସମୟରେ ସୁଶାନ୍ତଙ୍କ ମୃତ୍ୟୁ ତାଙ୍କ ପ୍ରଶଂସକଙ୍କ ମନରେ ଗଭୀର ଆଘାତ ଦେଇଛି। ଏହାସହ ବଲିଉଡ୍‌ ଦୁନିଆରେ ହୋଇଥିବା ପ୍ରିୟାପ୍ରିତି ପୋଷଣକୁ ନେଇ ଆଲୋଚନା ବି ହେଉଛି। ସୋସିଆଲ ମିଡିଆରେ ଏବେ ପର୍ଯ୍ୟନ୍ତ ତାଙ୍କ ପ୍ରଶଂସକମାନେ ସୁଶାନ୍ତଙ୍କ ସପକ୍ଷରେ ପୋଷ୍ଟ କରୁଥିବା ଦେଖାଯାଇଛି। ଏହାସହ ଏବେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଲୋୟର୍ସଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ରବିବାର ସୁଶାନ୍ତଙ୍କ ମୃତ୍ୟୁ ଖବର ମିଳିବା ବେଳକୁ ତାଙ୍କ ଇନଷ୍ଟା ଆକାଉଣ୍ଟ ଫଲୋୟର୍ସଙ୍କ ସଂଖ୍ୟା ୯ ମିଲିୟନ ଥିଲା। ହେଲେ ଶୁକ୍ରବାର ଦ୍ୱିପହର ବେଳକୁ ଫଲୋୟର୍ସଙ୍କ ସଂଖ୍ୟା ବୃଦ୍ଧି ପାଇ ୧୨ ମିଲିୟନରେ ପହଞ୍ଚି ସାରିଲାଣି। ସୁଶାନ୍ତ କିଛିମାସ ହେବ ଟୁଇଟରରେ ଆକ୍ଟିଭ ନ ଥିବା ବେଳେ ଇନଷ୍ଟାଗ୍ରାମରେ ଲଗାତାର ପୋଷ୍ଟ କରି ଆସୁଥିଲେ। କିଛିଦିନ ତଳେ ସେ ତାଙ୍କ ମା’ଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ କରିଥିଲେ, ଯାହା ଆସିଥିଲା ଚର୍ଚ୍ଚାକୁ। ଉକ୍ତ ପୋଷ୍ଟରେ ସେ ତାଙ୍କ ମା’ଙ୍କ ଫଟୋ ସହ ନିଜର ଏକ ଫଟୋ ଲଗାଇଥିବା ଦେଖାଯାଇଥିଲା। ଏବେ ସୋସିଆଲ ନେଟଓ୍ବର୍କିଂ ସାଇଟ୍‌ ଇନଷ୍ଟାଗ୍ରାମରେ ତାଙ୍କ ଆକାଉଣ୍ଟକୁ ‘ମେମୋରାଲାଇଜ୍ଡ’ କାଟାଗୋରୀରେ ପକାଇ ଦିଆଯାଇଛି। ଆଉ ଏହାସହ ଲେଖାଯାଇଛି, ‘ରିମେମ୍ବରିଂ’। ଏହି କାଟାଗୋରୀର ଅର୍ଥ ହେଉଛି କାହାର ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ଆକାଉଣ୍ଟକୁ ସାଇତି ରଖିବା। ସୁଶାନ୍ତଙ୍କ ସହ କାମ କରିଥିବା ତାଙ୍କ ଟିମ୍‌ ମଧ୍ୟ ଏହି ବଲିଉଡ୍‌ ନାୟକଙ୍କୁ ନିଜ ସ୍ମୃତିରେ ସାଇତି ରଖିବାକୁ ଚାହିଁଛନ୍ତି। ଏହାସହ ସୁଶାନ୍ତଙ୍କ ଟିମ୍‌ ତାଙ୍କ ନାଁରେ selfmusing ନାମକ ଏକ ଓ୍ବେବସାଇଟ ଲଞ୍ଚ କରିଥିବା ଜଣାପଡିଛି। ଏଥିରେ ସୁଶାନ୍ତଙ୍କ କାମ, ଚିନ୍ତାଧାରା, କୋଟ୍‌ସ ଓ ଶିକ୍ଷା ସହ ଜଡିତ ପୋଷ୍ଟ ଶେୟାର କରାଯିବ। ଏହାପରେ ସୁଶାନ୍ତଙ୍କ ଟିମ୍‌ର କହିବା କଥା ହେଲା ସେମାନେ ତାଙ୍କ ଅଭିନେତାଙ୍କୁ ପ୍ରଶଂସକଙ୍କ ନିକଟରେ ଜୀବିତ କରି ରଖିବାକୁ ଚାହିଁଛନ୍ତି।

Share