ମେରାଇନ୍‌ ଡ୍ରାଇଭ୍‌ ଭିଡିଓ ଅପ୍‌ଲୋଡ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟୁଇଟର ଆକାଉଣ୍ଟରେ ରବିବାର ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ୍‌ର ଏକ ମନୋରମ ଭିଡିଓ ଅପ୍‌ଲୋଡ କରାଯାଇଛି। ୪୮ ସେକେଣ୍ଡର ଏହି ଭିଡିଓରେ ପର୍ଯ୍ୟଟନ, ବେଳାଭୂମି, ବୃକ୍ଷରାଜିର ଅପୂର୍ବ ସମାହାର ରହିଛି। ଗତବର୍ଷ ମେ’ରେ ସାମୁଦ୍ରିକ ଝଡ଼ ଫନୀ ରାଜ୍ୟର ବହୁ କ୍ଷତିସାଧନ କରିଥିଲା। ବିଶେଷକରି ପୁରୀ ଜିଲାର ଭିତ୍ତିଭୂମି ଏବଂ ପ୍ରାକୃତିକ ପରିବେଶ ବହୁଳଭାବେ ପ୍ରଭାବିତ ହୋଇଥିଲା। ହେଲେ ଓଡ଼ିଆ ଲୋକଙ୍କ ଦୃଢ଼ ଇଚ୍ଛାଶକ୍ତି ପୁନଶ୍ଚ ରାଜ୍ୟବାସୀଙ୍କୁ ଛିଡ଼ା କରାଇବାରେ ସକ୍ଷମ ହୋଇଥିଲା। କେବଳ ସେତିକି ନୁହେଁ, ଫନୀ ଯୋଗୁ କ୍ଷତିଗ୍ରସ୍ତ ପ୍ରାକୃତିକ ଶୋଭାରାଜିର ପରବର୍ତ୍ତୀ ସମୟରେ ଭଲଭାବେ ଯତ୍ନ ନିଆଯାଇପାରିଥିବା ଭିଡିଓରେ ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବରରୁ ଆରମ୍ଭ ହୋଇଥିବା ଇକୋ ରିଟ୍ରିଟ୍‌ର ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ଏହି ମାର୍ଗ ସହ ପୁରୀ ଏବଂ କୋଣାର୍କ ବିଶ୍ୱ ପର୍ଯ୍ୟଟନର ପ୍ରମୁଖ ସ୍ଥାନ ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ହ୍ୟାଣ୍ଡେଲରୁ ଅପ୍‌ଲୋଡ୍‌ କରାଯାଇଥିବା ଏହି ଭିଡିଓକୁ ଶହ ଶହ ସଂଖ୍ୟାରେ ଦେଖାଯାଇଛି। ଅନୁରୂପଭାବେ ଶତାଧିକ ଲାଇକ୍‌ ଏବଂ ରିଟୁଇଟ୍‌ ମଧ୍ୟ କରାଯାଇଛି।

Share