ନୂଆଦିଲ୍ଲୀ,୨୮।୭(ପିଟି)- ଛ’ ଥର ବିଶ୍ୱ ଚାମ୍ପିୟନ ମହିଳା ବକ୍ସର ଏମ୍.ସି. ମେରୀକମ୍ ଇଣ୍ଡୋନେସିର ଲାବୁଆନ ବାଜୋଠାରେ ଚାଲିଥିବା ୨୩ତମ ପ୍ରେସିଡେଣ୍ଟ କପ୍ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୫୧ କିଗ୍ରା ବର୍ଗର ଫାଇନାଲରେ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ୫-୦ ବ୍ୟବଧାନରେ ଅଷ୍ଟ୍ରେଲିଆନ ଏପ୍ରିଲ ଫ୍ରାଙ୍କସଙ୍କୁ ହରାଇ ଦେଇଛନ୍ତି। ୩୬ ବର୍ଷୀୟା ବକ୍ସର ମେ’ରେ ଇଣ୍ଡିଆ ଓପନରେ ସ୍ବର୍ଣ୍ଣ ପଦକ ହାତେଇଥିଲେ। ହେଲେ ଅଲିମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟକୁ ଦୃଷ୍ଟିରେ ରଖି ଏସିଆନ ଚାମ୍ପିୟନଶିପରୁ ଓହରି ଯାଇଥିଲେ। ଦୁଇ ମାସର ବ୍ୟବଧାନ ପରେ ମେରୀକମ୍ ଏହି ସମ୍ମାନଜନକ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ। ଗତବର୍ଷ ୬ଷ୍ଠ ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଥିବା ବକ୍ସର ଏଠାରେ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍ ଲାଗି ପ୍ରସ୍ତୁତ ହେଉଥିଲେ। ଉକ୍ତ ଇଭେଣ୍ଟ ସେପ୍ଟେମ୍ବର ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।