ମେଲାଣି ନେଲେ ମା’

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ଆନନ୍ଦ ଉତ୍ସବର ଅନ୍ତ ଘଟାଇ ବିଦାୟ ନେଇଛନ୍ତି ମା’ ଜଗଜ୍ଜନନୀ। ଆତସବାଜି, ଢୋଲ, ମର୍ଦ୍ଦଳ, ଘଣ୍ଟ, ଘଣ୍ଟି ସହ ନାଚ ଗୀତର ରୋଶଣିରେ ଭକ୍ତମାନେ ମା’ଙ୍କୁ ବିଦାୟ ଦେଇଛନ୍ତି। ମା’ଙ୍କ ମେଲାଣି ସହ ଚଳିତବର୍ଷ ଶାରଦୀୟ ଦୁର୍ଗାପୂଜା ଶେଷ ହୋଇଛି। ମଙ୍ଗଳବାର ବିଭିନ୍ନ ପୂଜାମଣ୍ଡପରେ ମା’ଙ୍କ ଦଶମୀ ପୂଜା ସରିବା ପରେ ଘଟ ବିସର୍ଜନ କରାଯାଇଥିଲା ଓ ବୁଧବାର ଧୁମ୍‌ଧାମ୍‌ରେ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଶହୀଦନଗର, ନୟାପଲ୍ଲୀ, ପୁରୁଣା ଭୁବନେଶ୍ୱର ଏବଂ ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଆୟୋଜିତ ଭସାଣି ଉତ୍ସବରେ ପ୍ରାୟ ୧୭୧ ମେଢ଼ ସାମିଲ ହୋଇଥିଲେ। ପୁରୁଣା ଭୁବନେଶ୍ୱର ଭସାଣି କମିଟିର ସମସ୍ତ ମେଢ଼ ଦିନବେଳେ ବିସର୍ଜନ ହୋଇଥିବାବେଳେ ନୟାପଲ୍ଲୀ, ଶହୀଦନଗର ଏବଂ ଉତ୍ତର ଭୁବନେଶ୍ୱର କମିଟିର ସମସ୍ତ ମେଢ଼ ସନ୍ଧ୍ୟାରେ ଶୋଭାଯାତ୍ରାରେ ଯାଇଥିଲେ। କୁଆଖାଇ ଏବଂ ଦୟା ନଦୀପଠାରେ ନିର୍ମିତ ସ୍ବତନ୍ତ୍ର ଦେବୀଗଡ଼ାରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବିସର୍ଜନ କରାଯାଇଥିଲା। ସେହିଭଳି ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ରସୁଲଗଡ଼ ପୂଜାମଣ୍ଡପ କାହା ସହ ସାମିଲ ନ ହୋଇ ସ୍ବତନ୍ତ୍ର ଭାବେ ଶୋଭାଯାତ୍ରାରେ ଯାଇଥିଲା। ସନ୍ଧ୍ୟାରେ ରସୁଲଗଡ଼ର ବିଭିନ୍ନ ଅଞ୍ଚଳ ବୁଲିବା ପରେ ମା’ଙ୍କୁ କୁଆଖାଇ କୂଳରେ ନିର୍ମିତ ଦେବୀଗଡ଼ାରେ ମେଲାଣି ଦିଆଯାଇଥିଲା।

 

Share