Categories: ଜାତୀୟ

ମେଲାନିଆଙ୍କ ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ପ୍ରଥମ ଥର ଭାରତକୁ ଆସିଥିବା ବେଳେ ମଙ୍ଗଳବାର ଦିଲ୍ଲୀର ୨ଟି ସ୍କୁଲକୁ ସେ ଗସ୍ତ କରିଥିଲେ। ପ୍ରଥମେ ସେ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲକୁ ଯାଇ ସେଠାରେ ପିଲାଙ୍କ ସହ କଥାବର୍ତ୍ତା କରିଥିଲେ। ଏଥିସହ ଶ୍ରେଣୀଗୃହରେ ପିଲାଙ୍କ ସହ ମେଲାନିଆ ଖେଳିଥିଲେ। ସେହି ସମୟରେ ସେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ଏହାପରେ ସେ ଆରକେ ପୁରମସ୍ଥିତ ସର୍ବୋଦୟ ସହଶିକ୍ଷା ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ‘ହାପିନେସ୍‌ କ୍ଲାସ୍‌’ରେ ଯୋଗଦେଇଥିଲେ। ସେଠାରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ତାଙ୍କୁ ଭବ୍ୟସ୍ବାଗତ କରିଥିଲେ। ଏଥିରେ ମେଲାନିଆ ନିଜର ଖୁସିବ୍ୟକ୍ତ କରିଛନ୍ତି। ସ୍କୁଲ ଭିଜିଟ୍‌ ପରେ ସେଠାରେ ଥିବା ଭିଜିଟର ବୁକ୍‌ରେ ମେଲାନିଆ କିଛି ଲେଖି ହସ୍ତାକ୍ଷର କରିଥିଲେ। ସ୍କୁଲରେ କରାଯାଇଥିବା ଭବ୍ୟସ୍ବାଗତ ପାଇଁ ଧନ୍ୟବାଦ ଜଣାଇବା ସହ ଏହା ତାଙ୍କ ପାଇଁ ଅଭୂଲା ହୋଇ ରହିବ ବୋଲି ସେ ଲେଖିଛନ୍ତି। ତେବେ ତାଙ୍କର ଏହି ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ ବୋଲି ଜଣାପଡ଼ିଛି।

Share