ମେସର୍ସ ରିଲାଏନ୍ସକୁ ୨.୧୫ କୋଟି ଷ୍ଟାମ୍ପ ଡ୍ୟୁଟି ଛାଡ଼ିଲେ ସରକାର

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ରାଜ୍ୟ ସରକାର ମେସର୍ସ ରିଲାଏନ୍ସ (ଓଡିଶା ପଲି ଫାଇବର୍ସ ଲିମିଟେଡ) ଇଣ୍ଡଷ୍ଟ୍ରିଜ କମ୍ପାନୀକୁ ୨ କୋଟି ୧୫ ଲକ୍ଷ୬୪ ହଜାର ୬୪୮ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ କରିଛନ୍ତି। ଶିଳ୍ପ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ମଙ୍ଗଳବାର ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି।
ରୁଗ୍‌ଣ ଶିଳ୍ପ କମ୍ପାନୀ ଅଧିନିୟମ-୧୯୮୫ ଅନୁଯାୟୀ ଇପିକଲ ସଂସ୍ଥା ସହିତ ମିଶି ମେସର୍ସ ଷ୍ଟ୍ର ପ୍ରଡକ୍ସନ ଲିମିଟେଡ ଢେଙ୍କାନାଳ ଜିଲାରେ ଏକ ପଲିଷ୍ଟର ସିଲାଇ କାରଖାନା ମେସର୍ସ ଓଡ଼ିଶା ସିନ୍ଥେଟିକ ଲିମିଟେଡ କମ୍ପାନୀ ସ୍ଥାପିତ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ସିନ୍ଥେଟିକ କମ୍ପାନୀ ଜେ.କେ କର୍ପୋରେଶନ ସହ ବିଲୟ ହୋଇଥିଲା। ଜେ.କେ, କର୍ପୋରେସନ ଲିମିଟେଡ ଓଡିଶା ପଲି ଫାଇବର୍ସ ଲିମିଟେଡ ନାମ ଏକ ସ୍ବତନ୍ତ୍ର କମ୍ପାନୀ ଗଠନ କରିଥିଲେ। ଉକ୍ତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର କମ୍ପାନୀ ସମୂହ ମେସର୍ସ ସିଲଭା ପଲିଷ୍ଟର ଲିମିଟେଡ ନାମକ କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ମେସର୍ସ ଓଡିଶା ପଲିଫାଇବର୍ସ ଲିମିଟେଡ୍‌ ୯୭ ଏକର ସରକାରୀ ଜମି ହସ୍ତାନ୍ତର ବାବଦ ୭୨ ଲକ୍ଷ ଟଙ୍କା, ୧୩୦ ଏକର ବେସରକାରୀ ଜମି ବାବଦ ୯୮ ଲକ୍ଷ ଟଙ୍କା ଏବଂ କୋଠାବାଡି ମୂଲ୍ୟ ବାବଦ ୬ କୋଟି ୫୦ ଲକ୍ଷ ଟଙ୍କାର ଷ୍ଟାମ୍ପ ଡ୍ୟୁଟି ଛାଡ ପାଇଁ ଆବେଦନ କରିଥିଲେ।
ରାଜ୍ୟସ୍ତରୀୟ ନୋଡାଲ କମିଟି ୧୯୯୯ ଅଗଷ୍ଟ ୬ ତାରିଖ ବୈଠକରେ ଉକ୍ତ ପ୍ରସ୍ତାବ ଶିଳ୍ପ ନୀତି-୧୯୯୬ରେ ଥିବା ବ୍ୟବସ୍ଥା ଅନୁଯାୟୀ ମନ୍ତ୍ରୀ ମଣ୍ଡଳ ବୈଠକରେ ଷ୍ଟାମ୍ପ ଡ୍ୟୁଟି ଛାଡ କରିବାକୁ ସୁପାରିସ କରାଯାଇଥିଲା। ଏଥିସହିତ ମେସର୍ସ ରିଲାଏନ୍ସ (ଓଡ଼ିଶା ପଲିଫାଇବର୍ସ ଲିମିଟେଡ) ଏହାକୁ ନେଇ ୨୦୦୬ରେ ରାଜ୍ୟ ସରକାରଙ୍କ ବିରୋଧରେ ହାଇକୋଟରେ ମାମଲା ଦାୟୀ କରିଥିଲା। ରାଜ୍ୟସ୍ତରୀୟ ନୋଡାଲ କମିଟିଙ୍କ ସୁପାରିସକୁ ବିଚାର କରିବାକୁ ହାଇକୋଟର୍’ ଶିଳ୍ପ ବିଭାଗ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏହି ଛାଡ କରାଯାଇଛି।
ରାଜ୍ୟ ସରକାର ଓଏସଜେଏସ ଏବଂ ଓଡିଶା ନ୍ୟାୟିକ ସେବା(ଓଜେଏସ) ନିୟମାବଳୀ-୨୦୦୭କୁ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଓଜେଏସ ରେ ଅଧିକ ସଂଖ୍ୟାରେ ପୂର୍ବତନ ସେନା କର୍ମଚାରୀ ତଥା ଷ୍ଟାଫସିଲେକ୍ସନ କମିଶନ (ଏସଏସସି)ରେ କାର୍ଯ୍ୟରତ ଅଧିକାରୀ ଏବଂ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇ ପାରିବ। ଏହା ଫଳରେ ସିଭିଲ ଜଜ ପଦବୀ ପାଇଁ ହେଉଥିବା ପରୀକ୍ଷା ନିମନ୍ତେ ପୂର୍ବତନ ସେନା କର୍ମଚାରୀ ଏବଂ ଏସ୍‌ଏସ୍‌ସି କର୍ମଚାରୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୫ବର୍ଷ କୋହଳ କରାଯାଇଛି। ଭିନ୍ନକ୍ଷମ, ଏସସି,ଏସଟି ଓ ଏସ୍‌ଇବିସି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଥିବା ସର୍ବୋଚ୍ଚ ବୟସ ସୀମା ଆଉ ଅଧିକ ୧୦ ବର୍ଷ କୋହଳ କରାଯିବ। ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁର ପ୍ରଦାନ କରିଛି।

Share