Categories: ଖେଳ

ମେସିଙ୍କୁ କଦାପି ଭୋଟ ଦେଇ ନାହନ୍ତି ରୋନାଲ୍ଡୋ

ମାଡ୍ରିଡ୍‌,୨୭।୯: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ଲିଭରପୁଲ ଡିଫେଣ୍ଡର ଭିର୍ଗିଲ ଭାନ ଡିଜିକ ଓ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ପଛରେ ପକାଇ ଶ୍ରେଷ୍ଠ ପୁରୁଷ ଫିଫା ଖେଳାଳି ପୁରସ୍କାର ହାତେଇଛନ୍ତି। ଏହି ସମ୍ମାନକୁ ଅନ୍ତର୍ଜାତୀୟ ସ୍ତରରେ ବାଲୋନ ଡି’ଅର ବିବେଚନ କରାଯାଏ। ଜାତୀୟ ଦଳର କୋଚ୍‌, ଅଧିନାୟକ, ଗଣମାଧ୍ୟମ ପ୍ରତିନିଧି ଓ ପ୍ରଶଂସକଙ୍କ ମତକୁ ଭିତ୍ତି କରି ଏହି ପୁରସ୍କାରର ବିଜେତା ନିର୍ଣ୍ଣୟ କରାଯାଏ। ସଭିଙ୍କଠାରୁ ୨୫ ପ୍ରତିଶତ ଭୋଟ ଗ୍ରହଣ କରାଯାଏ। ପରମ୍ପରା ଅନୁଯାୟୀ ଫିଫା ପ୍ରତିବର୍ଷ ଭଳି ଏଥର ମଧ୍ୟ କେଉଁ ଖେଳାଳି କିମ୍ବା କୋଚ୍‌ କାହାକୁ ଭୋଟ ଦେଇଛନ୍ତି, ତାହାର ସମ୍ପୂର୍ଣ୍ଣ ତଥ୍ୟ ପ୍ରକାଶ କରିଛି। ଏଥିରୁ ଜଣାପଡ଼ିଛି ପର୍ତ୍ତୁଗାଲ ଷ୍ଟାର ରୋନାଲ୍ଡୋ କଦାପି ମେସିଙ୍କୁ ଭୋଟ ଦେଇ ନାହାନ୍ତି। ଅନ୍ୟପକ୍ଷରେ ମେସି ଚଳିତ ବର୍ଷ ପୁରସ୍କାର ପାଇଁ ସାଡିଓ ମାନେ, ରୋନାଲ୍ଡୋ ଓ ଫ୍ରେଙ୍କି ଡେ ଜଙ୍ଗଙ୍କୁ ଭୋଟ ଦେଇଛନ୍ତି। କିନ୍ତୁ ରୋନାଲ୍ଡୋ ଆର୍ଜେଣ୍ଟିନା ଷ୍ଟାରଙ୍କ ନାମ ନ ନେେଇ ମାଥିସ ଡି’ ଲାଇଟ, ଫ୍ରାଙ୍କି ଡି’ ଜଙ୍ଗ ଓ କାଇଲିନ ଏମ୍‌ବାପ୍ପେଙ୍କ ସପକ୍ଷରେ ମତ ଦେଇଛନ୍ତି। ବର୍ଷର ଶ୍ରେଷ୍ଠ ଫିଫା ଖେଳାଳି ପୁରସ୍କାର ପାଇଁ ରୋନାଲ୍ଡେ କୌଣସି ବର୍ଷ ସେମିଙ୍କ ନାମ ନେଇ ନାହାନ୍ତି। ୨୦୧୦ଠାରୁ ରୋନାଲ୍ଡୋ ୧୭ ଭୋଟ ଦଳୀୟ ସାଥିଙ୍କୁ ଦେଇଛନ୍ତି। ସମାନ ସମୟରେ ମେସି ୧୯ ଥର ନିଜ ଦଳର ଖେଳାଳିଙ୍କୁ ଭୋଟ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଭାରତୀୟ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରି ନିଜ ଭୋଟ ଭାନ ଡିଜିକ, ମେସି ଓ ମହମ୍ମଦ ସାଲାଙ୍କୁ ଦେଇଛନ୍ତି। ସେହିଭଳି ରୋନାଲ୍ଡୋ, ଭାନ ଡିଜିକ ଓ ଇଡେନ ହାଜାର୍ଡଙ୍କୁ ଭୋଟ ଦେଇଛନ୍ତି ମୁଖ୍ୟକୋଚ୍‌ ଇଗୋର ଷ୍ଟିମାକ।

Share