Categories: ଖେଳ

ମେସିଙ୍କୁ ରେକର୍ଡ ୬ଷ୍ଠ ବାଲୋନ ଡି’ ଅର

ପ୍ୟାରିସ,୩ା୧୨: ଆର୍ଜେଣ୍ଟିନା ଷ୍ଟାର ଲିଓନେଲ ମେସି ସୋମବାର ରେକର୍ଡ ୬ଷ୍ଠ ବାଲୋନ ଡି’ଅର ସମ୍ମାନ ପାଇଛନ୍ତି। ବାର୍ସିଲୋନାକୁ ଲା ଲିଗା ଚାମ୍ପିୟନ କରାଇବା ପରେ ତାଙ୍କ ପ୍ରତିନିଧିତ୍ୱରେ ଜାତୀୟ ଦଳ କୋପା ଆମେରିକା ଟୁର୍ନାମେଣ୍ଟର ୩ୟ ସ୍ଥାନ ଅଧିକାର କରିଥିଲା। ସେ ପୂର୍ବରୁ ୨୦୦୯, ୨୦୧୦, ୨୦୧୧, ୨୦୧୨ ଓ ୨୦୧୫ରେ ସମ୍ମାନଜନକ ଫୁଟବଲର ଟ୍ରଫି ହାତେଇଥିଲେ। ଚଳିତ ଥର ଲିଭରପୁଲର ୪ ଜଣ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇ ଏହି ସଫଳତା ପାଇଛନ୍ତି। ତାଙ୍କ ପଛକୁ ଭିର୍ଜିଲ ଭାନ ଜିଜକି (ଦ୍ୱିତୀୟ) ଓ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ (ତୃତୀୟ) ରହିଛନ୍ତି। ସର୍ବାଧିକ ଥର ବାଲୋନ ଡି’ଅର ପୁରସ୍କାର ହାତେଇବାରେ ମେସିଙ୍କ ପଛକୁ ରୋନାଲ୍ଡୋ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୫ ଥର ଏହି ସମ୍ମାନ ପାଇଛନ୍ତି। ମୋର ୩ ଭାଇଙ୍କ ଯୋଗୁ ୧୦ ବର୍ଷ ତଳେ ମୁଁ ପ୍ରଥମ ବାଲୋନ ଡି’ଅର ସମ୍ମାନ ପାଇଥିଲି। ମୋ ସ୍ତ୍ରୀ ଓ ପିଲାଙ୍କ ପାଇଁ ଏବେ କ୍ୟାରିୟରର ୬ଷ୍ଠ ଥର ଏହି ସମ୍ମାନ ହାତେଇଛି ବୋଲି ମେସି କହିଛନ୍ତି। ଅନ୍ୟପକ୍ଷରେ ଆମେରିକାକୁ ୪ର୍ଥ ଫିଫା ମହିଳା ବିଶ୍ୱକପ୍‌ ଆଣି ଦେଇଥିବା ମେଗାନ ରାପିନୋଙ୍କୁ ଦ୍ୱିତୀୟ ଥର ବାଲୋନ ଡି’ଅର ପାଇଛନ୍ତି। ସେ ଡୁ ଚାଟଲେଟ ଥିଏଟରରେ ଉପସ୍ଥିତ ନ ଥିଲେ। ଉଲ୍ଲେଖଖାଉ କି, ରୋନାଲ୍ଡୋ ଓ ମେସି କ୍ରମାଗତ ୧୦ ବାଲୋନ ଡି’ଅର ପୁରସ୍କାର ବାଣ୍ଟି ନେଇଥିଲେ। ୨୦୦୯ରୁ ୨୦୧୭ ପର୍ଯ୍ୟନ୍ତ ଏହି ଦୁଇଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ଶ୍ରେଷ୍ଠ ଫୁଟବଲର ହେବାର ସୌଭାଗ୍ୟ ପାଇ ନ ଥିଲେ।

Share