ମେସ୍କୋ ହୋଟେଲ, ଗେଷ୍ଟ ହାଉସ୍‌ ଦଖଲକୁ ନେଲା ଇଡ୍‌କୋ

କଳିଙ୍ଗନଗର,୨୬।୯(ଡି.ଏନ୍‌.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳ ଯଖପୁରାଠାରେ ଥିବା ମେସ୍କୋଷ୍ଟିଲର ଏକ ହୋଟେଲ ଓ ଗେଷ୍ଟହାଉସ୍‌କୁ ବୁଧବାର ଇଡ୍‌କୋ ଦଖଲକୁ ନେଇଛି। ଇଡ୍‌କୋ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନ ଏହି ଗେଷ୍ଟହାଉସ୍‌କୁ ଦଖଲ ନେବାପାଇଁ ଯଖପୁରା ଠାରେ ପହଞ୍ଚତ୍ଥିଲେ। ମାଜିଷ୍ଟ୍ରେଟ୍‌ ଭାବେ ଦାନଗଦୀ ତହସିଲଦାର ବୁଲବୁଲ ବେହେରା ଓ ଦାନଗଦୀ ବିଡିଓ ମଣି ପ୍ରସାଦ ମିଶ୍ର ଦାୟିତ୍ୱରେ ଥିବାବେଳେ ଇଡ୍‌କୋ ପକ୍ଷରୁ ଯାଜପୁର ରୋଡ ଡିଭିଜିନାଲ ମୁଖ୍ୟ ରାଜ କିଶୋର ନାୟକ ଓ ଇଡ୍‌କୋର ବହୁ କର୍ମଚାରୀ ଉପସ୍ଥିତ ଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଆଇନଶୃଙ୍ଖଳା ଉପୁଜିବା ଆଶଙ୍କାରେ ଯଖପୁରା ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନାଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପ୍ରକାଶ ଯେ, ୧୯୯୪ରେ ମେସ୍କୋଷ୍ଟିଲ ଯଖପୁରାଠାରେ ଦ୍ୱିତୀୟ ଇସ୍ପାତ କାରଖାନା ପ୍ରତିଷ୍ଠା କରିବା ପାଇଁ ଇଡ୍‌କୋ ଠାରୁ ୧୭୫୬ ଏକର ଜମି ହାତେଇ ଥିଲା। ଏହି ଜମି ମଧ୍ୟରୁ ୧୫୬ ଏକର ଜମିରେ ଏକ ବିଶାଳ ହୋଟେଲ ଓ ଗେଷ୍ଟହାଉସ୍‌ ନିର୍ମାଣ କରିଥିଲା। ପରବର୍ତ୍ତି ଅବସ୍ଥାରେ ମେସ୍କୋ ଜମି ନେବା ବାବଦକୁ ପ୍ରଦାନ କରିବାକୁ ଥିବା ଅର୍ଥ ଇଡକୋ କର୍ତ୍ତୃପକ୍ଷଙ୍କୁ ଦେଇ ନ ଥିଲା। ଏ ନେଇ ଇଡକୋ କର୍ତ୍ତୃପକ୍ଷ ବାରମ୍ବାର ନୋଟିସ୍‌ କରିଥିଲେ ମଧ୍ୟ ମେସ୍କୋ କର୍ତ୍ତୃପକ୍ଷ ଏହାକୁ ଭରଣ ନ କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେପ୍ଟେମ୍ବର ୨୪ ତାରିଖ ସୁଦ୍ଧା ଏହି ଗେଷ୍ଟହାଉସକୁ ଖାଲି କରିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରା ଯାଇଥିଲା। ଏହି କ୍ରମରେ ବୁଧବାର ମାଜେଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ହୋଟେଲରେ ଏବଂ ଗେଷ୍ଟ ହାଉସ୍‌ରେ ଥିବା ୮୦ଟି ଦାମି କୁକୁର, ସରଞ୍ଜାମ, ଖଟ, ପଲଙ୍କ, ଆସବାବପତ୍ର ଆଦିକୁ ମେସ୍କୋ କତ୍ତୃପକ୍ଷ ୭ ଦିନ ମଧ୍ୟରେ ଅନ୍ୟତ୍ର ନେଇ ଯିବାକୁ ସମୟ ଦିଆଯାଇଥିବା ଜଣାପଡିଛି।

Share