ମେହସୁଦ୍‌ ବିଶ୍ୱ ଆତଙ୍କବାଦୀ

ଓ୍ବାଶିଂଟନ,୧୨ା୯: ୯/୧୧ ଆକ୍ରମଣ ଘଟଣାର ବର୍ଷପୂର୍ତ୍ତି ଅବସରରେ ଆମେରିକା ସରକାର ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ନୂଆ ପଦକ୍ଷେପ ଘୋଷଣା କରିଛନ୍ତି। ବିଶ୍ୱବ୍ୟାପୀ ସନ୍ଦିଗ୍ଧ ଆତଙ୍କବାଦୀ, ସେମାନଙ୍କ ସମର୍ଥକ ଓ ଆର୍ଥିକ ସହାୟତା ଯୋଗାଉଥିବା ସଂଗଠନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବାକ୍ଷରରେ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ପାକିସ୍ତାନର ତେହରିକ୍‌-ଇ-ତାଲିବାନ ପାକିସ୍ତାନ (ଟିଟିପି) ମୁଖ୍ୟ ମୁଫ୍‌ତି ନୁର୍‌ ମେହସୁଦ୍‌ ସମେତ ୧୨ ଆତଙ୍କବାଦୀଙ୍କୁ ଆମେରିକା ପରରାଷ୍ଟ୍ର ବିଭାଗ ସ୍ବତନ୍ତ୍ର ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଟିଟିପି ମୁଖ୍ୟ ମୁଲ୍ଲା ଫଜ୍‌ଲୁଲ୍ଲାଙ୍କ ମୃତ୍ୟୁ ପରେ ୨୦୧୮ ଜୁନ୍‌ରେ ମେହସୁଦ୍‌ ସଂଗଠନର ନେତୃତ୍ୱ ନେଇଥିଲେ। ପାକିସ୍ତାନରେ ହୋଇଥିବା ଏକାଧିକ ଆକ୍ରମଣ ପାଇଁ ଟିଟିପି ନିଜକୁ ଦାୟୀ କରିଥିଲା। ମେହସୁଦ୍‌ ସମେତ ୧୧ ଆତଙ୍କବାଦୀ ସଂଗଠନର ନେତା, କାର୍ଯ୍ୟକର୍ତ୍ତା ଓ ସହଯୋଗୀଙ୍କୁ ଆମେରିକା ଉକ୍ତ ତାଲିକାରେ ସାମିଲ କରିଛି। ସେଥିରେ ଅଛନ୍ତି ହିଜବାଲ୍ଲା, ଇରାନ୍‌ର କୁଦ୍‌ସ ଫୋର୍ସ, ହମାସ, ପାଲେଷ୍ଟାଇନ୍‌ ଇସ୍‌ଲାମିକ୍‌ ଜେହାଦ, ଆଇଏସ୍‌, ଆଇଏସ୍‌ ଫିଲିପାଇନ୍ସ, ଆଇଏସ୍‌-ପଶ୍ଚିମ ଆଫ୍ରିକା, ଅଲ୍‌ କାଏଦା ଓ ସେମାନଙ୍କ ସହଯୋଗୀ ସଂଗଠନ।

Share