ମେ’ ୧୮ ପର୍ଯ୍ୟନ୍ତ ବଢିପାରେ ଲକ୍‌ଡାଉନ ଅବଧି

ମୁମ୍ବାଇ,୨୫।୪: କରୋନା ଭାଇରସକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ଅବଧି ମେ’ ୩ରେ ଶେଷ ହେଉଛି। ହେଲେ ମୁମ୍ବାଇ ଓ ପୁନେରେ ଏହି ଲକ୍‌ ଡାଉନ୍‌ ଅବଧି ମେ’ ୧୮ ଯାଏ ବୃଦ୍ଧି ହୋଇପାରେ ବୋଲି କହିଛନ୍ତି ମହାରାଷ୍ଟ୍ରର ସ୍ବାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ। କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଲକ୍‌ଡାଉନ ଭଳି ନିୟମ ଲାଗୁ ହୋଇଥିବା ବେଳେ ମୁମ୍ବାଇ ଓ ପୁଣେରେ ଏପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣ କମ୍‌ ହୋଇ ନ ଥିବାରୁ ଏଠାରେ ଲକ୍‌ଡାଉନ ଅବଧିକୁ ମେ’ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ବୋଲି ଶନିବାର ସେ କହିଛନ୍ତି। ବର୍ତ୍ତମାନ ମୁମ୍ବାଇ ଓ ପୁଣେର ବସ୍ତି ଅଞ୍ଚଳରେ କରୋନା ପଜିଟିଭଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇପାରେ ବୋଲି ସେ କହିଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନ୍‌ ପାଇଁ ଲକ୍‌ଡାଉନ ମେ’ ୩ ହୋଇପାରେ। ହେଲେ ସମ୍ପୁର୍ଣ୍ଣ ମୁମ୍ବାଇ ଓ ପୁଣେ ପାଇଁ ମେ’ ୩ ଲକ୍‌ଡାଉନ ଅବଧିରେ ପରିବର୍ତ୍ତନ କରାଯାଇପାରେ ବୋଲି ସେ ମତ ରଖିଛନ୍ତି। ଏବେ ମହାରାଷ୍ଟ୍ରରେ ୫୧୨ କଣ୍ଟେନମେଣ୍ଟ ଜୋନ୍‌ ରହିଛି। ସେହିପରି ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୬ ହଜାର ଅତିକ୍ରମ କରିଥିବା ବେଳେ ଏବେ ସେଠାରେ ୧,୧୯,୧୬୧ଜଣ କ୍ୱାରାଣ୍ଟାଇନରେ ରହିଛନ୍ତି। ଏହାସହ କରୋନା ସଂକ୍ରମଣରେ ମହାରାଷ୍ଟ୍ରରେ ୩୦୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଦେଶରେ କରୋନା ସଂକ୍ରମଣ ଟେତ୍ରରେ ମହାରାଷ୍ଟ୍ରଅର ସ୍ଥିତି ଉଦ୍‌ବେଗଜନକ ଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେବାକୁ ଯାଉଥିବା କୁହାଯାଉଛି।

Share