ମେ ୨୮ ପର୍ଯ୍ୟନ୍ତ ପେସାଦାର କ୍ରିକେଟ ସ୍ଥଗିତ ରଖିଲା ଇସିବି

ଲଣ୍ଡନ,୨୧।୩(ପି.ଟି.): ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ସମସ୍ତ ପେସାଦାର କ୍ରିକେଟ ଟୁର୍ନାମେଣ୍ଟକୁ ମେ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। କୋଭିଡ୍‌-୧୯ ଭୟାବହତା ଯୋଗୁ ନୂଆ ସିଜନ ଆରମ୍ଭ ହେବାରେ ବିଳମ୍ବ ହେବ। ପ୍ରଥମ ଶ୍ରେଣୀ କାଉଣ୍ଟି, ଏମ୍‌ସିସି ଓ ପେସାଦାର କ୍ରିକେଟରଙ୍କ ଆସୋସିଏଶନ (ପିସିଏ) ସହ ଆଲୋଚନା ପରେ ଇସିବି ଏହି ନିଷ୍ପତ୍ତି ନେଇଛି। ୭ ସପ୍ତାହ ବିଳମ୍ବରେ ନୂଆ ସିଜନ ଆରମ୍ଭ କରିବାକୁ ଇସିବି ପକ୍ଷରୁ କୁହାଯାଇଛି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌, ଟି୨୦ କପ ଓ ମହିଳା ଦଳର ଭାରତ ଗସ୍ତକୁ ଜୁନ, ଜୁଲାଇ ଓ ଅଗଷ୍ଟରେ ଆୟୋଜନ କରିବାକୁ ଯୋଜନା କରୁଥିବା ବୋର୍ଡ ଘୋଷଣା କରିଛି। ସିଜନକୁ ଛୋଟ କରିବା ଲାଗି ସରକାରଙ୍କ ସହ ପରବର୍ତ୍ତୀ ସମୟରେ ଆଲୋଚନା ହୋଇପାରେ। କ୍ରିକେଟ ପରିବାରର ସମସ୍ତଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ବୋର୍ଡ ପ୍ରାଥମିକତା ଦେଉଛି ବୋଲି ଇସିବି ମୁଖ୍ୟ କାର୍ଯ୍ୟକାରୀ ଅଫିସର ଟମ୍‌ ହାରିସନ କହିଛନ୍ତି।

Share