ମେ ୩୧ ପରେ ବଢ଼ିପାରେ ଲକ୍‌ଡାଉନ ଅବଧି: ୧୧ଟି ସହର ଉପରେ ରହିବ ଫୋକସ୍‌

ନୂଆଦିଲ୍ଲୀ,୨୭।୫: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ତୀବ୍ରଗତିରେ ବ୍ୟାପିବାରେ ଲାଗିଛି। କରୋନା ବ୍ୟାପିବାରୁ ରୋକିବା ପାଇଁ ଦେଶବ୍ୟାପି ଲକ୍‌ଡାଉନ ୪.୦ ଜାରି ରହିଛି। ହେଲେ ଏହାର ଅବଧି ମେ ୩୧କୁ ଶେଷ ହେବାକୁ ଯାଉଛି। କିନ୍ତୁ କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମେ ୩୧ ପରେ ଆଉ ୨ ସପ୍ତାହ ଲକ୍‌ଡାଉନ ବଢ଼ାଇପାରନ୍ତି ବୋଲି ସୂଚନା ରହିଛି। ହେଲେ ଲକ୍‌ଡାଉନ ୫.୦ ସମ୍ପୂର୍ଣ୍ଣ ଅଲଗା ରହିବା ସହ ପୂର୍ବାପେକ୍ଷା କଟକଣା ଉପରେ ଆହୁରି କୋହଳ କରାଯି। ଏହି ସମୟରେ ୧୧ଟି ସହରକୁ ଛାଡ଼ିଦେଲେ ଦେଶର ଅନ୍ୟ ସହରଗୁଡ଼ିକରେ କଟକଣା କୋହଳ କରାଯିବ। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ବେଳେ ଖୁବ୍‌ଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍‌ କି ବାତ’ କାର୍ଯ୍ୟକ୍ରମ ଜରିଆରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା କରିପାରନ୍ତ ବୋଲି କୁହାଯାଉଛି। ସୂଚନା ମୁତାବକ ଲକ୍‌ଡାଉନ ୫.୦ରେ ୧୧ଟି ସହର ଉପରେ ଫୋକସ୍‌ ରହିବ। ଏଥିରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାଣେ, ଇନ୍ଦୋର, ଚେନ୍ନାଇ, ଅହମଦାବାଦ, ଜୟପୁର, ସୁରଟ ଓ କୋଲକାତା ସାମିଲ ରହିଛି। ଏହି ସହରଗୁଡିକରେ ୭୦ ପ୍ରତିଶତରୁ ଊର୍ଦ୍ଧ୍ୱ କରୋନା ମାମଲା ରହିଛି। କେବଳ ୫ଟି ସହର ଅହମଦାବାଦ, ଦିଲ୍ଲୀ, ପୁଣେ, କୋଲକାତା ଓ ମୁମ୍ବାଇରେ ମୋଟ ୬୦ ପ୍ରତିଶତ କରୋନା ପଜିଟଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ଲକ୍‌ଡାଉନ ୫.୦ରେ ଧାର୍ମିକ ସ୍ଥଳ ଖୋଲିବା ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ ସ୍ବାଧିନତା ଦିଆଯାଇଛି। ମାତ୍ର ଏଥିପାଇଁ ନିୟମ ଓ ସର୍ତ୍ତାବଳୀ ଲାଗୁ ରହିବ। ଧାର୍ମିକ ସ୍ଥଳରେ କୌଣସି ମେଳା ଓ ମହୋତ୍ସବର ଆୟୋଜନ ଲାଗି ଅନୁମତି ମିଳିବ ନାହିଁ। କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ିଦେଲେ ସେଲୁନ ଓ ଜିମ ଖୋଲିବାକୁ ଅନୁମତି ମିଳିପାରେ ବୋଲି ଜଣାପଡ଼ିଛି।

Share