ମୈଥାନ ଇସ୍ପାତ କାରଖାନାରେ ଶ୍ରମିକ ଅଶାନ୍ତି: ବକେୟା ଦରମା ଦାବିରେ ରାସ୍ତା ଅବରୋଧ

କଳିଙ୍ଗନଗର,୧୭।୧୦(ଡି.ଏନ୍‌.ଏ.): କଳିଙ୍ଗନଗରସ୍ଥିତ ମୈଇଥାନ ମେସ୍କୋ କାରଖାନାର ଶ୍ରମିକମାନେ ବକେୟା ଦରମା ଦାବିରେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। କାରଖାନା ପକ୍ଷରୁ ଶ୍ରମିକଙ୍କୁ ୯ ମାସର ବକେୟା ପାଉଣା ଏବଂ ୧ ବର୍ଷର ବୋନସ୍‌ ଟଙ୍କା ପ୍ରଦାନ କରାଯାଇ ନ ଥିବା ଅଭିଯୋଗରେ ଶ୍ରମିକାମାନେ ବିଜୁପଟ୍ଟନାୟକ ମାର୍ଗର ରାବାଣା ଚାରିଛକ ରାସ୍ତା ଅବରୋଧ କରିଥିଲେ। ଏଥିରେ କଳିଙ୍ଗନଗର ମଜଦୂର ୟୁନିୟନ ପ୍ରତିଷ୍ଠାତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡ଼ାଇ ମଧ୍ୟ ସାମିଲ ହୋଇଥିଲେ। ଏହି ଅବସରରେ ୯ ମାସ ହେବ ୧୩ ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ସେମାନଙ୍କର ପ୍ରାପ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷେ କାରଖାନା କର୍ତ୍ତୃପକ୍ଷ ଶ୍ରମ ଆଇନ ଓ କାରଖାନା ନିୟମକୁ ବେଖାତିର କରି ୨ମାସ ହେବ ବିନା ନୋଟିସରେ କାରଖାନାକୁ ବନ୍ଦ ରଖିବା ଫଳରେ ଶ୍ରମିକମାନେ ରାଜରାସ୍ତାକୁ ଉହ୍ଲାଇନ୍ତି ବୋଲି ଘଡ଼ାଇ କହିଥିଲେ। ଧାରଣାସ୍ଥଳରେ କଳିଙ୍ଗନଗର ଏଡିଏମ୍‌ ସନ୍ତୋଷ କୁମାର ମିଶ୍ର, ଅତିରିକ୍ତ ଏସ୍‌ପି ରାଜ କିଶୋର ଦୋରା, ଦାନଗଦୀ ତହସିଲଦାର ବୁଲବୁଲ ବେହେରା, କଳିଙ୍ଗନଗର ଥାନାଧିକାରୀ ରାଜେନ୍ଦ୍ର ନାରାୟଣ ପଟ୍ଟନାୟକ ଓ ଯଖପୁରା ଥାନାଧିକାରୀ ଲକ୍ଷ୍ମଣ ଦଣ୍ଡସେନା ପହଞ୍ଚତ୍ ଶ୍ରମିକ ସଂଗଠନ ସହ ଆଲୋଚନା କରିଥିଲେ। ଶ୍ରମିକଙ୍କ ଦାବି ସମ୍ପର୍କରେ ଜିଲାପାଳ କାରଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି। ଏ ଦିଗରେ କାରଖାନା କର୍ତ୍ତୃପକ୍ଷ ୭ ଦିନ ସମୟ ନେଇଥିବା ଏଡିଏମ୍‌ ସନ୍ତୋଷ କୁମାର ଧାରଣାକାରୀଙ୍କୁ କହିବା ପରେ ଆନ୍ଦୋଳନ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଧାରଣାରେ ଘଡ଼ାଇଙ୍କ ସହ ୟୁନିୟନ ସାଧାରଣ ସମ୍ପାଦକ ଆଜାର ଅହମ୍ମଦ ଖାନ୍‌, ୧୦ ନଂ ଜୋନ ଜିଲାପରିଷଦ ସଭ୍ୟ ସୁଶାନ୍ତ କୁମାର ସାମଲ, ଏମ୍‌ପିଙ୍କ ପ୍ରତିନିଧି ଲୋକନାଥ ଧୀର, ଯୁବ ନେତା ପବିତ୍ର ଜେନାମଣି ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରମିକ ନେତା ବିଜୟ କୁମାର ଦଳେଇ, ପ୍ରହଲ୍ଲାଦ ପାଳ, ପ୍ରମୋଦ ସାହୁ, ଶ୍ରୀକାନ୍ତ ବେହେରା, କିଶୋର ସାମଲ , ଆଶିଷ ଓଝା, ରାଜେଶ ପାଲ, ସୌମ୍ୟରଞ୍ଜନ ନାୟକ ପ୍ରମୁଖ ସାମିଲ ଥିଲେ।

Share