ବ୍ରହ୍ମଗିରି, ୨୪ା ୪(ଡି.ଏନ.ଏ.): ଶ୍ରୀକ୍ଷେତ୍ରର ମହାପ୍ରଭୁ ଜଗନ୍ନାଥ କରୋନା ଯୋଗୁ ଭକ୍ତଙ୍କୁ ଦେଉନାହାନ୍ତି ଦର୍ଶନ। ସେହିପରି ଦ୍ୱିତୀୟ ଶ୍ରୀକ୍ଷେତ୍ର ବୋଲାଉଥିବା ବ୍ରହ୍ମକ୍ଷେତ୍ର ବ୍ରହ୍ମଗିରିର ଅଲାରନାଥ ପୀଠ କରୋନା ସଂକ୍ରମଣ ପ୍ରଭାବରୁ ଭକ୍ତଙ୍କ ପାଇଁ ବନ୍ଦ ରହିଛି। ବର୍ଷକ ମଧ୍ୟରେ ଜଗନ୍ନାଥ ମହାପ୍ରଭୁ ୧୪ ଦିନ ଅଣସର ପିଣ୍ଡିରେ ରହି ଭକ୍ତଙ୍କୁ ଦର୍ଶନ ନ ଦେବା ପରମ୍ପରା ରହିଛି ା ଏଭଳି ପରିସ୍ଥିତିରେ ଅଲାରନାଥ ପୀଠରେ ବର୍ଷକର କୌଣସି ଗୋଟିଏ ଦିନ ଦର୍ଶନ ବନ୍ଦ ହୋଇ ନ ଥାଏ। ଅତୀତରେ ମୋଗଲ ଆକ୍ରମଣରେ ସେବାୟତମାନେ ନିଜକୁ ସୁରକ୍ଷା ଦେବା ପାଇଁ ଆତ୍ମଗୋପନ କରିଥିବା ସମୟରେ ମନ୍ଦିରର ନୀତିକାନ୍ତି ସହ ମନ୍ଦିର ବନ୍ଦ ରହିଥିଲା। ଐତିହ୍ୟ ବିଶାରଦ ସୁରେନ୍ଦ୍ର ମିଶ୍ରଙ୍କ କହିବା ଅନୁଯାୟୀ, ୧୬୨୧ରେ ମିର୍ଜା ଅହମ୍ମଦ ବେଗ୍ଙ୍କ ଅନ୍ଧାରୀଗଡ଼ ଆକ୍ରମଣ ସମୟରେ ବ୍ରହ୍ମଗିରି ଅଞ୍ଚଳରେ ଥିବା ଅନେକ ହିନ୍ଦୁ ମନ୍ଦିର ପ୍ରତି ବିପଦ ଦେଖା ଦେଇଥିଲା ା ଏହି ସମୟରେ ମନ୍ଦିରର ସେବାୟତମାନେ ନିଜକୁ ବଞ୍ଚାଇବା ଲାଗି ଛତ୍ରଭଙ୍ଗ ଦେଇଥିଲେ। ଫଳରେ ମହାପ୍ରଭୁ ଅଲାରନାଥଙ୍କ ମନ୍ଦିର ବନ୍ଦ ରହିଥିଲା। ପରେ ପରିସ୍ଥିତ ସ୍ବାଭାବିକ ହେବାରୁ ମନ୍ଦିର ପୁନର୍ବାର ଖୋଲିଥିଲା। କିନ୍ତୁ ଏବେ କୌଣସି ମୋଗଲ ଓ ବାହ୍ୟ ଶତ୍ରୁଙ୍କ ଆକ୍ରମଣ ନାହିଁ। ମହାମାରୀ କରୋନା ସଂକ୍ରମଣରୁ ରକ୍ଷା ନିମନ୍ତେ ସରକାରଙ୍କ ନିର୍ଦ୍ଦେଶରେ ପ୍ରତ୍ୟେକ ମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରହିଛି। ଫଳରେ ମହାପ୍ରଭୁ ଅଲାରନାଥ ମନ୍ଦିରର ରତ୍ନ ସିଂହାସନରେ ଭକ୍ତଙ୍କ ଆଢୁଆଳରେ ରହିଛନ୍ତି। ପ୍ରତ୍ୟେକଦିନ ଚଳଚଞ୍ଚଳ ଉଠୁଥିବା ପୀଠରେ ଏବେ ନୀରବତା ରାଜୁତି କରୁଛି। ମନ୍ଦିରରେ ଦର୍ଶନ ବନ୍ଦ ହେବା ଇତିହାସରେ ଏକ ନୂଆ ପୃଷ୍ଠା ଯୋଡ଼ି ହେବ ବୋଲି ଶ୍ରଦ୍ଧାଳୁଙ୍କଠାରୁ ଶୁଣିବାକୁ ମିଳୁଛି।