Categories: ଜାତୀୟ

ମୋଟରଯାନ ଆଇନ କାର୍ଯ୍ୟକାରିତା ଲାଗି ଆଇପିସି, ସିପିସିରେ ସଂଶୋଧନ ଆବଶ୍ୟକ

ନୂଆଦିଲ୍ଲୀ,୨୧।୧୧(ପି.ଟି.): ସଂଶୋଧିତ ମୋଟରଯାନ ଆଇନକୁ କାର୍ଯ୍ୟକାରୀ କରିବା ଲାଗି ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଏବଂ ଦଓ୍ବୋନି ଆଚାର ସଂହିତା (ସିପିସି)ରେ ସଂଶୋଧନ ଆବଶ୍ୟକ ବୋଲି କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଜଣାଇଦେଇଛନ୍ତି। ଉପରୋକ୍ତ ଦୁଇଟି ସଂହିତାରେ ସଂଶୋଧନ ପାଇଁ ରାଜ୍ୟଗୁଡିକର ମତାମତ ଜରୁରୀ ବୋଲି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଜି. କିଷନ ରେଡ୍ଡୀ ବୁଧବାର ରାଜ୍ୟ ସଭାରେ କହିଛନ୍ତି। ସଂଶୋଧିତ ମୋଟର ଯାନ ଆଇନ ଗତ ସେପ୍ଟେମ୍ବର ୧ରୁ ଲାଗୁ କରାଯାଇଛି, ଯେଉଁଥିରେ କଠୋର ଦଣ୍ଡବ୍ୟବସ୍ଥା ରହିଛି। ତେବେ ନୂଆ ଆଇନରେ ଦିଆଯାଇଥିବା କ୍ଷମତା ବଳରେ କେତେକ ରାଜ୍ୟ ଦଣ୍ଡ କୋହଳ କରିଦେଇଛନ୍ତି। ଆଇପିସି ଏବଂ ସିପିସିରେ ସଂଶୋଧନ ସମ୍ପର୍କରେ ମନ୍ତ୍ରୀ ଗୃହ ସଦସ୍ୟମାନଙ୍କ ମତାମତ ମଧ୍ୟ ଲୋଡିଥିଲେ। ମୋଟରଯାନ ଆଇନ ଲାଗୁ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର। ସେମାନେ ଏହାକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଲାଗୁ କରିବେ ତାହା ସେମାନଙ୍କ ଉପରେ ନିର୍ଭର କରୁଛି ବୋଲି ରେଡ୍ଡୀ କହିଥିଲେ। ରାସ୍ତା ଦୁର୍ଘଟଣା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପରିବହନ ମନ୍ତ୍ରଣାଳୟ ଅନେକ ପଦକ୍ଷେପ ନେଇଛନ୍ତି। ଫଳରେ ଗତବର୍ଷଠାରୁ ଦୁର୍ଘଟଣା ପରିମାଣ ହ୍ରାସ ପାଇଥିବା ମନ୍ତ୍ରୀ ସୂଚନା ଦେଇଥିଲେ।

Share