ମୋଟର ଯାନ ଆଇନ ଉଲ୍ଲଂଘନ : ଜରିମାନା ଆଦାୟରେ ଆଗରେ ଓଡ଼ିଶା

ଭୁବନେଶ୍ୱର,୬।୯ (ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ସେପ୍ଟେମ୍ବର ୧ରୁ ସାରା ଦେଶରେ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କଠାରୁ ବହୁଗୁଣା ଜରିମାନା ଆଦାୟ କରାଯାଉଛି। ତେବେ ଜରିମାନା ଆଦାୟରେ ଓଡ଼ିଶା ଦେଶରେ ସବୁଠୁ ଆଗରେ ରହିଛି। ଗତ ୪ଦିନ ଭିତରେ ୪୦୮୦ଜଣ ଉଲ୍ଲଂଘନକାରୀ ଗାଡ଼ି ଚାଳକଙ୍କଠାରୁ ଜାରିମାନା ବାବଦକୁ ମୋଟ ୮୮ଲକ୍ଷ ୯୦ ହଜାର ୧୦୭ ଟଙ୍କା ଆଦାୟ କରିଛି ଓଡିଶା। ଏହାସହ ୪୬ ଗାଡ଼ିକୁ ସିଜ୍‌ କରାଯାଇଛି। ଅନ୍ୟପକ୍ଷରେ ଗୁରୁବାର ୫ମ ଦିନ ଯାଞ୍ଚରେ କମିଶନ୍‌ରେଟ ପୋଲିସ ଦ୍ୱୈତନଗରୀରେ ଅଧିକ ଜରିମାନା ଆଦାୟ କରିଛି। କେବଳ ଭୁବନେଶ୍ୱରରେ ୬ଶହ ୬ଜଣ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୫ ଲକ୍ଷ ୩୦ ହଜାର ୫ଶହ ଟଙ୍କା ଆଦାୟ କରାଯାଇଛି। ସେଥିମଧ୍ୟରୁ ହେଲମେଟ ପିନ୍ଧି ନ ଥିବା ୪୨୨ଜଣ, ସିଟ୍‌ ବେଲ୍ଟ ବାନ୍ଧି ନ ଥିବା ୧୧୨ଜଣ, ରଙ୍ଗ୍‌ ରୁଟ୍‌ରେ ଯାଉଥିବା ୨ଜଣ, ସିଗ୍‌ନାଲ ଭାଙ୍ଗିଯାଉଥିବା ୧୦ ଜଣ, ବାଇକରେ ୩ଜଣ ବସିଯାଉଥିବା ୪୩ଜଣ, ବିନା ନମ୍ବର ପ୍ଲେଟ୍‌ରେ ଗାଡ଼ି ନେଇ ଯାଉଥିବା ୨ଜଣ, ବିନା ଆର୍‌ସି ଓ ଡିଏଲରେ ୩ଜଣ, ବେଆଇନ ପାର୍କିଂ ୧୨ ଜଣ ଓ ବିନା କାଗଜପତ୍ରରେ ଜଣେ ରହିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।