ମୋଟର ଯାନ ନିୟମ ଅନୁପାଳନ: ସଚେତନତା ପାଇଁ ଛକରେ ଲାଗିବ ପୋଷ୍ଟର, ବ୍ୟାନର

ବାଲେଶ୍ୱର ଅଫିସ, ୬।୯- ବାଲେଶ୍ୱର ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଗୁରୁବାର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମୋଟର ଯାନ ନିୟମ ଅନୁପାଳନ ଉପରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗତ ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟରେ ଲାଗୁ ହୋଇଥିବା ଏହି ଆକ୍ଟର ବିଭିନ୍ନ ଧାରା, ଉପଧାରା ଦ୍ୱାରା କରାଯାଇଥିବା ଦଣ୍ଡ ବିଧାନ ଉପରେ ସଚେତନ କରାଯାଇଥିଲା।
ସରକାର ଟ୍ରାଫିକ୍‌ ନିୟମରେ ଖିଲାଫ ଏବଂ ବିଶୃଙ୍ଖଳାକୁ ନିୟନ୍ତ୍ରଣ ପାଇଁ କରିଥିବା ଏହି ଅର୍ଥ ଦଣ୍ଡ ଏବଂ ନିଶାସକ୍ତ ଯାନଚାଳନା ପାଇଁ ଜେଲ ଦଣ୍ଡାଦେଶ ଉପରେ ବିଶେଷ ଭାବେ ଅବଗତ କରାଯାଇଥିଲା। ନାବାଳିକାନାବାଳକମାନଙ୍କୁ ଯାନବାହନ ଚାଳନା ଉପରେ ପିତାମାତା ଯତ୍ନବାନ ହେବା ଉପରେ ପରାମର୍ଶ ଦିଆଯାଇଥିଲା। ଦ୍ରୁତଗାମୀ ଯାନକୁ ନିୟନ୍ତ୍ରଣ କରିବା, ବିନା ଲାଇସେନ୍ସରେ ଯାନ ଚାଳନା, ଯାତ୍ରୀବାହୀ ଯାନଗୁଡ଼ିକରେ କ୍ଷମତାରୁ ଅଧିକ ଯାତ୍ରୀ ପରିବହନ କରିବା, ଆମ୍ବୁଲାନ୍ସ/ଅଗ୍ନିଶମ ଯାନଗୁଡ଼ିକୁ ରାସ୍ତା ନ ଛାଡ଼ିବା ଉପରେ କେତେ ଅର୍ଥ ଦଣ୍ଡ ରହିଛି ତାହା ଗୃହକୁ ଅବଗତ କରାଯାଇଥିଲା। ଏଣିକି ସହରର ବିଭିନ୍ନ ସ୍ଥାନରେ ପୋଷ୍ଟର, ବ୍ୟାନର, ଲିଫଲେଟ୍‌ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ୍‌ ଓ ଦଣ୍ଡ ବିଧାନ ଉପରେ ସଚେତନ କରାଯିବ ବୋଲି ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର କୁମାର କହିଥିଲେ। ତା’ ଛଡ଼ା କେତେକ ସ୍ଥାନରେ ବ୍ଲିକରିଂ ଲାଇଟ ଲଗାଯିବା, ହମ୍ପସ୍‌ ନିର୍ମାଣ, ଏକ ପାଖିଆ ଯାନ ଚାଳନା, ପାର୍କିଂ ବ୍ୟବସ୍ଥାରେ ଉନ୍ନତି କରିବା କାର୍ଯ୍ୟ କରାଯିବ ବୋଲି ବୈଠକରେ ପ୍ରକାଶ କରାଯାଇଥିଲା। ତେବେ ଦୁଇ ଚକିଆ ଯାନ ଚାଳକମାନେ ହେଲମେଟ୍‌ ପିନ୍ଧିବା ଓ ଚାରିଚକିଆ ଯାନଚାଳକ ସିଟ୍‌ ବେଲ୍ଟ ବ୍ୟବହାର ଯେପରି ଅଭ୍ୟାସରେ ପରିଣତ ହେବ ସେଥିପ୍ରତି ସଚେତନ ହେବାକୁ କୁହାଯାଇଥିଲା। ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ବିକାଶ ଚୌଧୁରୀ ବୈଠକର ଆଭିମୁଖ୍ୟ କହିବା ସହ ବିଭିନ୍ନ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିବା ବେଳେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୁବାଷ ନିଆଲ ଧନ୍ୟବାଦ ଅର୍ପଣ କରିଥିଲେ।