Categories: ବାଣିଜ୍ୟ

ମୋଟର ଯାନ ସଂଶୋଧନ ବିଲ୍‌କୁ କ୍ୟାବିନେଟ ମୋହର;ଦ୍ରୁତଗତିରେ ଗାଡ଼ି ଚଳାଇଲେ ୨୦୦୦ ଜରିମାନା

ନୂଆଦିଲ୍ଲୀ,୨୫-୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟର ଭେହିକିଲ(ସଂଶୋଧନ) ବିଲ୍‌କୁ ଅନୁମୋଦନ କରାଯାଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଏଣିକି ଭାରି ମାତ୍ରାରେ ଜରିମାନା ଆଦାୟ କରାଯିବ। ସଂଶୋଧିତ ବିଲ୍‌ ଅନୁଯାୟୀ, ଦ୍ରୁତଗତିରେ ଗାଡ଼ି ଚଳାଇଲେ ସର୍ବନିମ୍ନ ୧୦୦୦ ଏବଂ ସର୍ବାଧିକ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଏହାଛଡା ବୀମା କରା ନ ଯାଇ ଗାଡି ଚଳାଉଥିଲେ ୨୦୦୦ ଟଙ୍କା, ହେଲମେଟ ବିନା ଗାଡ଼ି ଚାଳନା ପାଇଁ ୧୦୦୦ ଟଙ୍କା ଏବଂ ୩ ମାସ ଲାଇସେନ୍ସ ସସ୍‌୍‌ପେଣ୍ଡ କରାଯିବ। ବିଲ୍‌ ଅନୁଯାୟୀ ଜରୁରୀକାଳୀନ ସେବା ଯୋଗାଣ ଗାଡ଼ିକୁ ବାଟ ନ ଛାଡିଲେ ୧୦ ହଜାର ଏବଂ ଅଯୋଗ୍ୟ ହେବା ପରେ ମଧ୍ୟ ଗାଡ଼ି ଚଳାଇବା କ୍ଷେତ୍ରରେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ସମଷ୍ଟିଗତ ଭାବେ ଡ୍ରାଇଭିଂ ଲାଇସେନ୍ସ ଉଲ୍ଲଂଘନ ଅଭିଯୋଗରେ ୧ ଲକ୍ଷ ଟଙ୍କା ଜରିମାନାର ବ୍ୟବସ୍ଥା ବିଲ୍‌ରେ ରହିଛି। ଏହାଛଡ଼ା ସଡ଼କରେ କିଶୋରୀ/କିଶୋରଙ୍କ ଦ୍ୱାରା କୌଣସି ଅପରାଧ କ୍ଷେତ୍ରରେ ସେମାନଙ୍କ ଅଭିଭାବକଙ୍କୁ ଦୋଷୀ ସାବ୍ୟସ୍ତ କରାଯିବ ଏବଂ ଜରିମାନା ବାବଦରେ ୨୫ ହଜାର ଟଙ୍କା ଆଦାୟ କରାଯିବା ସହ ୩ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାକୁ ପଡିବ। ଏହାବାଦ୍‌ ଗାଡ଼ିର ରେଜିଷ୍ଟ୍ରେଶନକୁ ବାତିଲ କରାଯିବ। ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ ଅଭିଯୋଗରେ ଏଣିକି ୧୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଜରିମାନା ଆଦାୟ କରାଯିବ। ସେହିପରି କର୍ତ୍ତୃପକ୍ଷଙ୍କ ଆଦେଶ ପାଳନ ନ କରିବା ଅଭିଯୋଗରେ ସର୍ବନିମ୍ନ ୨୦୦୦ ଟଙ୍କା ଜରିମାନା ନିଆଯିବ। ପୂର୍ବରୁ ଏହା ୫୦୦ ଟଙ୍କା ଥିଲା। ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚାଳନା ପାଇଁ ୫ ହଜାର ଟଙ୍କା ଏବଂ ଅଯୋଗ୍ୟ ଘୋଷିତ ପରେ ମଧ୍ୟ ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ ହେବ। ସେହିପରି ବିପଦପୂର୍ଣ୍ଣ ଗାଡ଼ି ଚାଳନା ଲାଗି ଜରିମାନା ପରିମାଣକୁ ୧ ହଜାରରୁ ୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ମଦ୍ୟପାନ କରି ଗାଡି ଚାଳନା ଲାଗି ନୂଆ ଆଇନରେ ୧୦ ହଜାର ଟଙ୍କା ଆଦାୟର ବ୍ୟବସ୍ଥା କରାଯାଇଛି। ସିଟ୍‌ ବେଲ୍ଟ ପିନ୍ଧି ନ ଥିଲେ ୧୦୦୦ ଟଙ୍କା, ଦୁଇ ଚକିଆ ଗାଡି ଚାଳନା ବେଳେ ହେଲମେଟ ପିନ୍ଧି ନ ଥିଲେ ୧୦୦୦ ଟଙ୍କା ଦେବାକୁ ପଡିବ। ୧୮ ରାଜ୍ୟର ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ର ସରକାର ଏହି ସଂଶୋଧିତ ବିଲ୍‌ ଆଣିବାକୁ ଯାଉଛନ୍ତି। ସଂସଦର ଚଳିତ ବଜେଟ ଅଧିବେଶନରେ ଏହି ବିଲ୍‌କୁ ଆଣିବାର ଯୋଜନା ରହିଛି ବୋଲି ପୂର୍ବର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ପ୍ରକାଶ କରିଥିଲେ।

Share