ମୋଟାଗୁଡ଼ା ଜଙ୍ଗଲରେ ଶ୍ରମିକଙ୍କୁ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ କୋର୍ଟଚାଲାଣ

ଭବାନୀପାଟଣା,୩୦ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣାର ମୋଟାଗୁଡା ଜଙ୍ଗଲରେ ଜଣେ ଶ୍ରମିକଙ୍କୁ ବାଡ଼ିରେ ପିଟି ହତ୍ୟା କରିବା ମାମଲାରେ ପୋଲିସ ଅଭିଯୁକ୍ତ କାଠବେପାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଭରତ ବିଶ୍ୱାଳ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମୋଟାଗୁଡ଼ା ଜଙ୍ଗଲରେ ଶ୍ରମିକ ଦେବେନ୍ଦ୍ର ବେହେରାଙ୍କୁ ଗତ ୨୨ ତାରିଖରେ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପରେ ପୋଲିସ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିବାବେଳେ ଭରତଙ୍କୁ ବୁଧବାର ଗିରଫ କରିଥିଲା। ଜାମିନ୍‌ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ହତ୍ୟାକାରୀ ଭରତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ପୁରୁନାପଡ଼ାର ୭ ଜଣ ଲୋକ କାଠ କାଟିବା ପାଇଁ ନେହେଲା ମୋଟାଗୁଡା ଜଙ୍ଗଲକୁ ଯାଇଥିଲେ। ୨୪ ତାରିଖରେ ନେହେଲା ଗାଁରେ ଏହି ଶ୍ରମିକମାନେ ଖାଇବା ପାଇଁ ରୋଷେଇ କରୁଥିବାବେଳେ ଶ୍ରମିକ ଦେବେନ୍ଦ୍ର ବେହେରା ମଦ ପିଇବା ପାଇଁ ଚୋରାକାଠ ବେପାରୀ ଭରତ ବିଶ୍ୱାଳକୁ ଟଙ୍କା ମାଗିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଭରତ ଏକ ବାଡ଼ିରେ ଦେବେନ୍ଦ୍ରଙ୍କୁ ପିଟିଥିଲେ। ଫଳରେ ଦେବେନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏ ସମ୍ପର୍କରେ ନେହେଲା ଗ୍ରାମବାସୀ ୨୫ ତାରିଖରେ ଭବାନୀପାଟଣା ସଦର ଥାନାରେ ଅଭିଯୋଗ କରିଥିଲେ। ଏହି ହତ୍ୟା ଘଟଣାରେ ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲାବେଳେ ୭ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଲାଇଥିଲା। ଗତ ମଙ୍ଗଳବାର ସ୍ଥାନୀୟ ଏସଡିଜେଏମ୍‌ କୋର୍ଟରେ ୭ ଜଣଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିଲା। ଏହା ପରେ ଅଭିଯୁକ୍ତ ଭରତଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।

Share