ମୋତେ ଡୁପ୍ଲିକେଟ୍‌ ଅରୁଣ ମନ୍ତ୍ରୀ ବୋଲି ଭାବିଥିଲେ

ଜଗତ୍‌ସିଂହପୁର ତିର୍ତ୍ତୋଲର ମଣିଜଙ୍ଗାରେ ଅରୁଣ ମନ୍ତ୍ରୀଙ୍କ ଜନ୍ମ। କଲେଜ ଜୀବନରୁ କବିତା ଲେଖା ଆରମ୍ଭ କରି ୨୦୦୦ମସିହାରେ ‘କାଶିଆ କପିଳା’ ଚଳଚ୍ଚିତ୍ରରେ ପ୍ରଥମ ଗୀତ ଲେଖି ସିନେ ଦୁନିଆରେ ପାଦ ଥାପିଥିଲେ ଅରୁଣ। କଲେଜରେ ପଢ଼ୁଥିବାବେଳେ ଆକାଶବାଣୀର ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ଏକ ଲେଖା ଗୀତ ହୋଇ ବାଜିଥିଲା। ସେ ପଟେ ତୋ ଘର, ଏପଟେ ମୋ ଘର, ମଝିରେ ଅଳକା ନଈ..ର ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ ଓ କଣ୍ଠଦାନ କରିଥିଲେ ସୁଶୀଲ ଦତ୍ତ। ତୁ ମୋ ଲଭ ଷ୍ଟୋରି, କେବେ ତୁମେ ନାହଁ -କେବେ ମୁଁ ନାହିଁ ଚଳଚ୍ଚିତ୍ର ନିମନ୍ତେ ଶ୍ରେଷ୍ଠ ଗୀତିକାର ଭାବେ ଦୁଇଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ଅରୁଣ ମନ୍ତ୍ରୀଙ୍କ ଅନୁଭୂତିରୁ କିଛି।ଗୀତିକାରର ପରିଚୟ ବହୁତ କମ୍‌ ଥାଏ। ଲୋକେ ଗୀତ ଶୁଣନ୍ତି ଓ ଗୀତିକାରର ଲେଖାକୁ ପ୍ରଶଂସା କରନ୍ତି। ହେଲେ କେହି କେବେ ଗୀତିକାରର ମୁହଁ ବି ଦେଖିନଥାନ୍ତି। ଏମିତି ଘଟଣା ମୋ ସହ ବି ହୋଇଥିଲା। ବହୁତ ବର୍ଷ ପୂର୍ବରୁ ଯାତ୍ରା ପାର୍ଟିରେ ଗୀତ ଲେଖୁଥିଲି। ନିୟତି ଗଣନାଟ୍ୟର ‘କଳାପଥର’ ନାଟକ ନିମନ୍ତେ ଗୀତ ଲେଖିବାକୁ ମୋତେ ଡକାଗଲା। ପୂର୍ବରୁ କିଛି ଯାତ୍ରାରେ ମୋ ଗୀତ ସୁପରହିଟ୍‌ ହୋଇଥିଲା। ଏଣୁ କଳାପଥର ଯାତ୍ରାର ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ମୋତେ ଗୀତ ଲେଖିବାକୁ ଡାକିଲେ। ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ଲେଖାକୁ ନେଇ ଆଲୋଚନା ଚାଲିଥାଏ। କିଛି ସମୟ ପରେ ଗଣନାଟ୍ୟର ମାଲିକ ଟନ ବାବୁ ସେଠାରେ ପହଞ୍ଚିଲେ। ତାଙ୍କୁ ଖବର ଦିଆଯାଇଥିଲା ଯେ, କଳାପଥର ଯାତ୍ରାର ଗୀତ ଅରୁଣ ମନ୍ତ୍ରୀ ଲେଖିବେ। ଯେହେତୁ ମୋର କିଛି ଗୀତ ହିଟ୍‌ ହୋଇଥିଲା, ଅରୁଣ ମନ୍ତ୍ରୀ ଜଣେ ବୟସ୍କ ବ୍ୟକ୍ତି ହୋଇଥିବେ ବୋଲି ସେ ଭାବି ନେଇଥିଲେ। ଆମେ ବସିଥିବା ରୁମ୍‌ ଭିତରକୁ ଆସିବା ପରେ ସଙ୍ଗୀତ ନିର୍ଦ୍ଦେଶକ ପାଲିତଙ୍କୁ ଅରୁଣ ମନ୍ତ୍ରୀ କାହାନ୍ତି ବୋଲି ଟନ ବାବୁ ପଚାରିଥିଲେ। ପାଲିତ ସାର୍‌ ମୋ ଆଡକୁ ଅଙ୍ଗୁଳି ବଢ଼ାଇ ଦେଇଥିଲେ। ହେଲେ ଗୋଟେ ଯୁବକ ଏତେ ସବୁ ହିଟ୍‌ ଗୀତ ଲେଖୁଛି ବୋଲି ଟନ ବାବୁଙ୍କର ବିଶ୍ୱାସ ହେଲାନି। ଏପରିକି ସେ ଏ କଥା ଶୁଣି ହସିଥିଲେ ଓ ଡୁପ୍ଲିକେଟ ଅରୁଣ ମନ୍ତ୍ରୀଙ୍କୁ ଧରି ଆଣିଛ ବୋଲି କହିଥିଲେ। ହେଲେ ନିର୍ଦ୍ଦେଶକ ପାଲିତ କହିଥିଲେ, କିଛି ସମୟ ଅପେକ୍ଷା କର। ସେ କିଛି ଗୀତ ଲେଖି ସାରିବା ପରେ ତୁମର ଆପେଆପେ ବିଶ୍ୱାସ ହୋଇଯିବ ଯେ, ସେ ଅରିଜିନାଲ ନା ଡୁପ୍ଲିକେଟ ଅରୁଣ ମନ୍ତ୍ରୀ। ଯାତ୍ରାର ୪ଟି ଯାକ ଗୀତ ଲେଖିବା ପରେ ଯେତେବେଳେ ପାଲିତ ସାର୍‌ ସେସବୁ ଗୀତ ଶୁଣାଇଥିଲେ ସେତେବେଳେ ଟନବାବୁ ଖୁସିରେ ମୋତେ କୁଣ୍ଢାଇ ପକାଇଥିଲେ। ଏହା ପରଠାରୁ ନିୟତି ଗଣନାଟ୍ୟ ଥିବା ଯାଏ ସମସ୍ତ ଯାତ୍ରାର ଗୀତ ଲେଖିବା ଦାୟିତ୍ୱ ମୋତେ ମିଳିଥିଲା।

Share