Categories: ଖେଳ

ମୋତେ ଦରକାର ନାହିଁ, ମୋ କୋଚ୍‌ଙ୍କୁ ସମ୍ମାନ ଦିଅ: ଅମିତ୍‌ ପଙ୍ଘାଲ

ନୂଅଦିଲ୍ଲୀ,୨୨।୯(ପି.ଟି.): ମୋତେ କୌଣସି ବ୍ୟକ୍ତିଗତ ସମ୍ମାନ କିମ୍ବା ପୁରସ୍କାର ଦରକାର ନାହିଁ। କିନ୍ତୁ ମୋ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଉ ବୋଲି ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଅମିତ୍‌ ପଙ୍ଘାଲ କହିଛନ୍ତି। ନିକଟରେ ରୁଷିଆର ଇକାଟେରିନବର୍ଗଠାରେ ଶେଷ ହୋଇଥିବା ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ପ୍ରଥମ ଭାରତୀୟ ଭାବେ ରୌପ୍ୟ ପଦକ ହାତେଇଛନ୍ତି। ସେ ପୂର୍ବରୁ ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ୨୦୧୨ରେ ଡୋପିଂ ଟେଷ୍ଟରେ ବିଫଳ ହେବା ଯୋଗୁ ଅର୍ଜୁନ ସମ୍ମାନ ପାଇଁ ତାଙ୍କ ନାମକୁ ଉପେକ୍ଷା କରାଯାଇଥିଲା। ଏଥିସହ ତାଙ୍କୁ ଗୋଟିଏ ବର୍ଷ ପାଇଁ ବାସନ୍ଦ ମଧ୍ୟ ହେବାକୁ ପଡ଼ିଥିଲା। ସେହିବର୍ଷ ସେ ଚିକେନ ପକ୍ସ ରୋଗରେ ପୀଡ଼ିତ ଥିଲେ। ସଚେତନତା ଅଭାବରୁ ସେ ଡାକ୍ତର ଦେଇଥିବା ଔଷଧ ଅତିମାତ୍ରରେ ବ୍ୟବହାର କରିଥିଲେ। ଯାହା ଫଳରେ ସେ ଡୋପ ଟେଷ୍ଟରେ ବିଫଳ ହୋଇଥିଲେ। ମୋତେ କୌଣସି ପୁରସ୍କାରର ଆବଶ୍ୟକତା ନାହିଁ। ହେଲେ କୋଚ୍‌ ଅନିଲ ଧାଙ୍କରଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଦିଆଯାଉ। ସେ ମୋ କ୍ୟାରିୟର ତିଆରି କରିଛନ୍ତି। ତାଙ୍କ ବିନା ମୁଁ ବକ୍ସର ହୋଇପାରି ନ ଥାନ୍ତି। ମୁଁ ୨୦୦୮ରେ ବକ୍ସିଂ ଆରମ୍ଭ କରିଥିଲି। ସେବେଠାରୁ ସେ ମୋ ସହ ଅଛନ୍ତି। ମୋତେ ଏବେ ମଧ୍ୟ କିଛି ମାର୍ଗ ଦର୍ଶନର ଆବଶ୍ୟକତା ପଡ଼ିଲେ, ମୁଁ ତାଙ୍କ ସାହାଯ୍ୟ ନିଏ। ତାଙ୍କୁ ଏକ ପୁରସ୍କାର ମିଳିଲେ, ମୁଁ ବହୁତ ଖୁସି ହେବି ବୋଲି ପଙ୍ଘାଲ କହିଛନ୍ତି। ୪୫ ବର୍ଷୀୟ ଧାଙ୍କର କଦାପି ଜାତୀୟ ଦଳ ସହ କୋଚ୍‌ ଭାବେ କାର୍ଯ୍ୟ କରି ନାହାନ୍ତି। କିନ୍ତୁ ବକ୍ସର ଭାବେ ଜାତୀୟ ସ୍ତରରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ।

Share