Categories: ଜାତୀୟ

ମୋତେ ବଳିବୋଦା କରନାହିଁ: ବାଚସ୍ପତି

ବେଙ୍ଗାଲୁରୁ,୨୩ା୭(ପି.ଟି.): କର୍ନାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ ଆଣିଥିବା ଆସ୍ଥାଭୋଟ ଉପରେ କ୍ରମାଗତ ତୃତୀୟ ଦିନ ପାଇଁ ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ବିଳମ୍ବିତ କରିବା ଲାଗି ବାଚସ୍ପତି କେ.ଆର୍‌. ରମେଶ କୁମାରଙ୍କ ଉପରେ ଚାପ ପକାଯାଇଥିଲା। ବିଦ୍ରୋହୀ ବିଧାୟକମାନେ ଦେଇଥିବା ଇସ୍ତଫା ଉପରେ ବାଚସ୍ପତି ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାନ୍ତି। ଇସ୍ତଫା ନିଷ୍ପତ୍ତି ନ ସରିବା ପର୍ଯ୍ୟନ୍ତ ଆସ୍ଥାଭୋଟ ନ ନେବା ଲାଗି ବାଚସ୍ପତିଙ୍କୁ କଂଗ୍ରେସ କହିଥିଲା। ତେବେ ବାଚସ୍ପତି ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ସରକାର ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଆସ୍ଥାଭୋଟ ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ‘ଆମକୁ ସମସ୍ତେ ଦେଖୁଛନ୍ତି। ଦୟାକରି ମୋତେ ବଳିବୋଦା କରନାହିଁ। ଆମକୁ ଲକ୍ଷ୍ୟରେ ପହଞ୍ଚତ୍ବାକୁ ହେବ’ ବୋଲି ବାଚସ୍ପତି କହିଥିଲେ।
କଂଗ୍ରେସ-ଜେଡିଏସ୍‌ ମେଣ୍ଟରୁ ୧୬ ଜଣ ବିଧାୟକ ଇସ୍ତଫା ଦେବା ଏବଂ ଦୁଇ ଜଣ ସ୍ବାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ ସରକାରରେ ସଙ୍କଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗୁରୁବାର ଆସ୍ଥାଭୋଟ ଲୋଡିଥିଲେ ମଧ୍ୟ ଏହା ଉପରେ ଆଲୋଚନା ଶେଷ ହେଉନାହିଁ। ରାଜ୍ୟପାଳଙ୍କ ତାଗିଦ ସତ୍ତ୍ୱେ ଶୁକ୍ରବାର ଆସ୍ଥାଭୋଟ ନ କରି ବାଚସ୍ପତି ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ସୋମବାର ଆଲୋଚନା ଜାରି ରହିଥିବାବେଳେ ଭୋଟ ପ୍ରକ୍ରିୟାକୁ ଆଉ ଦୁଇ ଦିନ ଘୁଞ୍ଚାଇବା ପାଇଁ ମେଣ୍ଟ ସରକାର ଚାହିଁଥିଲେ।

Share