Categories: ଜାତୀୟ

ମୋଦିଙ୍କୁ କଂଗ୍ରେସର ୫ ପ୍ରଶ୍ନ

ନୂଆଦିଲ୍ଲୀ,୨୪ା୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତକୁ ନେଇ ମୁଖ୍ୟ ବିରୋଧୀ ଦଳ କଂଗ୍ରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ୫ଟି ପ୍ରଶର ଉତ୍ତର ଚାହିଁଛି। ଭାରତ-ଆମେରିକା ବାଣିଜ୍ୟ, ଏଚ୍‌-୧ବି ଭିଜା, ଜାତୀୟ ନିରାପତ୍ତା, ତୈଳ ଦର ଏବଂ ଇସ୍ତାତ ରପ୍ତାନିକୁ ନେଇ ବରିଷ୍ଠ କଂଗ୍ରେସ ନେତା ରଣଦୀପ୍‌ ସୁର୍ଜଓ୍ବୋଲା ନିମ୍ନୋକ୍ତ ପ୍ରଶ୍ନ ପଚାରିଛନ୍ତି।
୧. ଟ୍ରମ୍ପ୍‌ ପ୍ରଶାସନ ଭିଜା ନୀତିରେ କଟକଣା ଲଗାଇବାରୁ ଭାରତୀୟଙ୍କୁ ୮୫୦୦୦ ଏଚ୍‌-୧ବି ଭିଜାର ୭୦ ପ୍ରତିଶତ ମିଳୁଛି। ଆଇଟି ପେସାଦାରଙ୍କ କ୍ଷେତ୍ରରେ ଭାରତ ପାଇଁ ଖାରଜ ହାର ୨୦୧୫ରେ ୬ % ଥିବାବେଳେ ତାହା ୨୪ %କୁ ବଢ଼ିଛି। ଭିଜା ନୀତି କୋହଳ କରିବା ପାଇଁ ଟ୍ରମ୍ପ୍‌ଙ୍କୁ ମୋଦି କହିବେ କି?
୨. ଟ୍ରମ୍ପ୍‌ ପ୍ରଶାସନ ୨୯ରେ ତାଲିବାନ ସହ ଚୁକ୍ତି ସ୍ବାକ୍ଷର କରିବାକୁ ଯାଉଛି। ଆତଙ୍କବାଦୀ ମାସୁଦ ଆଝାରଙ୍କ ମୁକ୍ତି ପାଇଁ ଭାରତୀୟ ବିମାନକୁ କାନ୍ଦାହାର ଅପହରଣ, ପାର୍ଲାମେଣ୍ଟ ଓ ପୁଲ୍‌ଓ୍ବାମା ଆକ୍ରମଣ ଆଦିକୁ ଭୁଲିଯିବା ଉଚିତ ନୁହେଁ। ଭାରତର ସୁରକ୍ଷା ପ୍ରସଙ୍ଗ ମୋଦି ଆମେରିକା ରାଷ୍ଟ୍ରପତିଙ୍କ ପାଖରେ ଉଠାଇବେ କି?
୩. ଆମେରିକାରେ ଭାରତର ୫.୬ ବିଲିୟନ ଡଲାର ମୂଲ୍ୟର ରପ୍ତାନି ସାମଗ୍ରୀ ପାଇଁ ଶୁଳ୍କମୁକ୍ତ ପ୍ରବେଶ ଅନୁମତି ମିଳିବ କି? ପୂର୍ବରୁ ଥିବା ଏହି ସୁବିଧାକୁ ଟ୍ରମ୍ପ୍‌ ପ୍ରଶାସନ ଗତବର୍ଷ ଜୁନ୍‌ରେ ଉଠାଇଦେଇଥିଲା।
୪. ଇରାନର ତେଲ ବିକ୍ରି ଉପରେ ଆମେରିକା କଟକଣା ଲଗାଇଥିବାରୁ ଭାରତ ପାଇଁ ମୋଦି ଶସ୍ତାରେ ତେଲ ଆଣିବାକୁ ସକ୍ଷମ ହେବେ କି?
୫. ଭାରତ ଆମେରିକାକୁ ୭୬୧ ନିୟୁତ ଡଲାର ମୂଲ୍ୟର ଇସ୍ପାତ ରପ୍ତାନି କରୁଥିଲା। ଟ୍ରମ୍ପ୍‌ ସରକାର ଆମଦାନି ଶୁଳ୍କ ୨୫ ପ୍ରତିଶତ ବଢ଼ାଇବାରୁ ଇସ୍ପାତ ରପ୍ତାନି ୫୦ ପ୍ରତିଶତ ହ୍ରାସ ପାଇଛି। ଇସ୍ପାତ ରପ୍ତାନି ବଢ଼ାଇବା ଦିଗରେ ଟ୍ରମ୍ପ୍‌ଙ୍କ ସହ ମୋଦି ଆଲୋଚନା କରିବେ କି?

Share