ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ନୂଆଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ମୃତ୍ୟୁ ୩ ଘଣ୍ଟା ପୂର୍ବରୁ ସେ ଏକ ଟୁଇଟ୍ କରିଥିଲେ। ଏହି ଟୁଇଟରେ ସେ ଜମ୍ମୁକଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ। ସୁଷମା ଟୁଇଟ୍ରେ ହିନ୍ଦୀରେ ଲେଖିଥିଲେ, ପ୍ରଧାନମନ୍ତ୍ରୀ ଜୀ, ଆପଣଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ମୁଁ ମୋ ଜୀବନରେ ଏହି ଦିନଟିକୁ ଦେଖିବାକୁ ପ୍ରତୀକ୍ଷା କରିଥିଲି। ସୂଚନାଯୋଗ୍ୟ, ସୁଷମା ରାତି ୧୦ଟାରେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ।