ମୋଦିଙ୍କୁ ଧନ୍ୟବାଦ ଦେଲେ ମେଲାନିଆ

ଓ୍ବାଶିଂଟନ,୧୩।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଚଳିତ ମାସ ଶେଷ ସପ୍ତାହରେ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମେଲାନିଆଙ୍କ ଟୁଇଟ୍‌ ସାମ୍ନାକୁ ଆସିଛି। ଏଥିରେ ସେ ଭାରତ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ନିମନ୍ତ୍ରଣ ପାଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମେଲାନିଆ ଲେଖିଛନ୍ତି ନୂଆଦିଲ୍ଲୀ ଓ ଅହମ୍ମଦାବାଦ ଗସ୍ତକୁ ନେଇ ସେ ବେଶ୍‌ ଉତ୍ସାହିତ ଅଛନ୍ତି। ଟ୍ରମ୍ପଙ୍କ ସହ ତାଙ୍କର ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ଆହୁରି ମଜଭୂତ କରିବ ବୋଲି ସେ ଆଶା ପୋଷଣ କରିଛନ୍ତି। ଏହା ପୂର୍ବରୁ ଟ୍ରମ୍ପ ଟୁଇଟ୍‌ କରି ତାଙ୍କ ୨ ଦିନିଆ ଭାରତ ଗସ୍ତକୁ ନେଇ ଉତ୍ସୁକତା ପ୍ରକାଶ କରିଥିଲେ। ଏହାସହ ତାଙ୍କ ଗସ୍ତ ସମୟରେ ଦୁଇଦେଶ ମଧ୍ୟରେ ବ୍ୟବସାୟ ବାଣିଜ୍ୟ ସମ୍ପର୍କିତ ଚୁକ୍ତି ସ୍ବାକ୍ଷରିତ ହୋଇପାରେ ବୋଲି ସଙ୍କେତ ଦେଇଥିଲେ। ସୂଚନାଯୋଗ୍ୟ, ଟ୍ରମ୍ପ ଦମ୍ପତି ଆସନ୍ତା ୨୪-୨୫ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ଏମାନଙ୍କୁ ଗୁଜରାଟରେ ରେଡ କାର୍ପେଟରେ ସ୍ବାଗତ ଲାଗି ଆୟୋଜନ ବ୍ୟାପକ କରାଯାଇଛି। ତେବେ ଗୁଜରାଟରେ ‘କେମ୍‌ ଛୋ ଟ୍ରମ୍ପ’ ନାମକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏମାନେ ଯୋଗଦେବେ ବୋଲି ପୂର୍ବରୁ ମୋଦି ଟୁଇଟ୍‌ କରି ସୂଚନା ଦେଇଥିଲେ।

Share