Categories: ଜାତୀୟ

ମୋଦିଙ୍କୁ ‘ମିଛର ସର୍ଦ୍ଦାର’କହିଥିବା ରାହୁଲଙ୍କୁ ଭାଜପାର ସମାଲୋଚନା:ଉପା ଅମଳରେ ଗଢ଼ାହୋଇଥିଲା ଅଟକ କେନ୍ଦ୍ର

ନୂଆଦିଲ୍ଲୀ,୨୭-୧୨(ପି.ଟି.):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ମିଛର ସର୍ଦ୍ଦାର’ କହିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭାଜପା ସମାଲୋଚନା କରିଛି। ଅଟକ କେନ୍ଦ୍ର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମିଛ କହୁଛନ୍ତି ବୋଲି ରାହୁଲ ଟୁଇଟ୍‌ କରିଥିଲେ। ରାହୁଲଙ୍କୁ ସମାଲୋଚନା କରି ଭାଜପା ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି, କଂଗ୍ରେସ ନେତା ଆପତ୍ତିଜନକ ଭାଷା ବ୍ୟବହାର କରୁଛନ୍ତି। କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ କ୍ଷମତାରେ ଥିବାବେଳେ ଆସାମରେ ଅଟକ କେନ୍ଦ୍ର ନିର୍ମାଣ ହୋଇଥିଲା। ୨୦୧୧ରେ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାରଙ୍କ ଏ ସମ୍ପର୍କିତ ବିବୃତିକୁ ସମ୍ବିତ୍‌ ଖବରଦାତା ସମ୍ମିଳନୀରେ ଦେଖାଇ ‘ରାହୁଲ ମିଛର ସର୍ଦ୍ଦାର’ ବୋଲି କହିଥିଲେ। ତାଙ୍କ ଦଳ ଦ୍ୱାରା ଆସାମରେ ୩ଟି ଅଟକ କେନ୍ଦ୍ର ନିର୍ମାଣ ହୋଇଥିଲା। ବେଆଇନ ଶରଣାର୍ଥୀ ପ୍ରସଙ୍ଗରେ ଆସାମ ସରକାର ଜାରି କରିଥିବା ଶ୍ୱେତପତ୍ରକୁ ମଧ୍ୟ ସମ୍ବିତ୍‌ ଦେଖାଇଥିଲେ। ତେବେ ଅଟକ କେନ୍ଦ୍ର ଓ ଏନ୍‌ଆର୍‌ସି ମଧ୍ୟରେ କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। ଦେଶରେ ଅଟକ କେନ୍ଦ୍ର ନାହିଁ ବୋଲି ପ୍ରଧାନମନ୍ତ୍ରୀ ଗୁରୁବାର କହିଥିବାବେଳେ ରାହୁଲ ଏହାକୁ ବିରୋଧ କରିଥିଲେ। ଆର୍‌ଏସ୍‌ଏସ୍‌ର ପ୍ରଧାନମନ୍ତ୍ରୀ ଭାରତମାତାକୁ ଭୁଲ୍‌ କହୁଥିବା ରାହୁଲ ଅଭିଯୋଗ କରିଥିଲେ।

Share