ମୋଦିଙ୍କ କାର୍ଯ୍ୟକୁ ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ପ୍ରଶଂସା

ନୂଆଦିଲ୍ଲୀ, ୩ା୪: ବିଶ୍ୱବ୍ୟାପୀ କରୋନା ଆତଙ୍କ ଜାରି ରାହିଛି। ମୁଣ୍ଡ ପରେ ମୁଣ୍ଡ ଗଡ଼ିଚାଲିଛି। ଅଦ୍ୟାବଧି ବିଶ୍ୱରେ କରୋନା ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୪୯ ହଜାର ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ପାଖାପାଖି ପହଞ୍ଚିଲାଣି। ଭାରତରେ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା ଏଠାରେ ୨,୦୩୨କୁ ବୃଦ୍ଧି ପାଇଥିବା ବେଳେ ୬୯ବ୍ୟକ୍ତି ପ୍ରାଣ ହରାଇଲେଣି। କେନ୍ଦ୍ର ସରକାର ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିବା ସହ ପ୍ରତ୍ୟେକ ବ୍ୟକ୍ତି ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ପରାମର୍ଶ ଦିଆଯାଇଛି। ଏହି ଲକ୍‌ଡାଉନ୍‌ ସମୟରେ ଗରିବ, ନିରାଶ୍ରୟଙ୍କୁ ସରକାର ସହଯୋଗ ଯୋଗାଇ ଦେଇଛନ୍ତି। ଏଥିିଲାଗି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲ୍ୟୁଏଚ୍‌ଓ)ର ମୁଖ୍ୟ ଟେଡ୍‌ରସ୍‌ ଆଧାନମ୍‌ ଘେବ୍ରେୟେସସ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ମୋଦିଙ୍କ ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ (ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ) ବେଶ୍‌ ସହାୟକ ହେବ ବୋଲି ସେ ଟୁଇଟ କରି କହିଛନ୍ତି।

Share