Categories: ଜାତୀୟ

ମୋଦିଙ୍କ ଜମ୍ମୁ-କଶ୍ମୀର ରୋଡ୍‌ମ୍ୟାପ୍‌: ୧୦ ମନ୍ତ୍ରଣାଳୟର ମିଳିତ ସହଯୋଗରେ ହେବ ବିକାଶ

ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛନ୍ତି। ୧୦ଟି ମନ୍ତ୍ରଣାଳୟର ମିଳିତ ସହଯୋଗରେ ଏଠାକାର ବିକାଶ ସମ୍ଭବ ହେବ। ରୋଡ୍‌ମ୍ୟାପ୍‌ରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାବେଳେ ଏହାଦ୍ୱାରା ବିଏସ୍‌ଏଫ୍‌ ଏବଂ ସିଆର୍‌ପିଏଫ୍‌ରେ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯିବ। ସେହିପରି କ୍ୟାବିନେଟ ସେକ୍ରେଟାରିଏଟ୍‌ ଅନ୍ତର୍ଗତ ଏଠାରେ ୩ରୁ ୫ଟି ସରକାରୀ ସ୍ବୀକୃତିପ୍ରାପ୍ତ ସାର୍ବଜନିକ କମ୍ପାନୀ ସ୍ଥାପନ କରାଯିବ। ଏହା ସହିତ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଠାରେ ବିଦ୍ୟୁତ୍‌ ଦର କମ୍‌ କରାଯିବା ଲାଗି ପ୍ରୟାସ କରାଯିବ। ସ୍ଥାନୀୟ ଲୋକଙ୍କୁ ଆବଶ୍ୟକ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟମ କରାଯିବ ବୋଲି ରୋଡ୍‌ମ୍ୟାପ୍‌ରେ ଦର୍ଶାଯାଇଛି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍ଥାନୀୟ ଲୋକଙ୍କ ବିକାଶ ଦକ୍ଷତା ଆଧାରରେ ସମ୍ପନ୍ନ ହେବ। ଏଠାରେ ଆବଶ୍ୟକ ନିବେଶ ପାଇଁ ନୀତି ଆୟୋଗ ପକ୍ଷରୁ ଯୋଜନା କରାଯିବ। ଏଠାରେ ଶିଳ୍ପର ବିକାଶ ପାଇଁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାର ଯୋଜନା ରହିଛି। ସ୍ଥାନୀୟ ପର୍ଯ୍ୟଟନ ଶିଳ୍ପର ବିକାଶ ଲାଗି ପର୍ଯ୍ୟଟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ କରାଯିବ। ନବୀନ ଏବଂ ନବୀକରଣ ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଏଠାରେ ବିକଳ୍ପ ଶକ୍ତି ଉତ୍ସର ବିକାଶ ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ। ରାଜ୍ୟରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନିବେଶ ବୃଦ୍ଧି ଲାଗି ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଯୋଜନା କରାଯିବ। ଏହାଦ୍ୱାରା ରାଜ୍ୟର ସର୍ବାଙ୍ଗୀନ ଊନ୍ନତି ହୋଇପାରିବ ବୋଲି ରୋଡ୍‌ମ୍ୟାପ୍‌ରେ ପ୍ରକାଶ ପାଇଛି।

Share