Categories: ଜାତୀୟ

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ ସଫଳତା ଏବଂ ଐତିହାସିକ ସୁଧାରରେ ପରିପୂର୍ଣ୍ଣ ବୋଲି ଯୋଗୀ କହିଛନ୍ତି। ଏନଡିଏ ସରକାର ସବ୍‌କା ସାଥ୍‌, ସବ୍‌ କା ବିଶ୍ୱାସ ଏବଂ ସବ୍‌ କା ବିକାଶ ମନ୍ତ୍ର ନେଇ ବିଭିନ୍ନ କ୍ଷେତ୍ରରେ ସଫଳତା ଲାଭ କରିଛି। ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଭାରତ ପୃଥିବୀର ଆର୍ଥିକ କ୍ଷେତ୍ରରେ ସୁପରପାଓ୍ବାର ହୋଇପାରିଛି। ମୋଦିଙ୍କ ନେତୃତ୍ୱରେ ସରକାର ଏକ ଭାରତ, ଶ୍ରେଷ୍ଠ ଭାରତ ଅଭିଯାନ ଲକ୍ଷ୍ୟପଥରେ ଅଗ୍ରସର ହେବାରେ ଲାଗିଛି। ଗୋଟିଏ ବର୍ଷ ମଧ୍ୟରେ ତିନି ତଲାକ୍‌, ଅନୁଚ୍ଛେଦ ୩୭୦ ଉଚ୍ଛେଦ, ରାମଜନ୍ମଭୂମି ସମସ୍ୟାର ସମାଧାନ ଆଦି ସମ୍ଭବ ହୋଇ ପାରିଛି। ସେହିପରି ଜାତୀୟ ନାଗରିକ ପଞ୍ଜିକାର ମଧ୍ୟ ପ୍ରଣୟନ ହୋଇପାରିଛି। ଅପରପକ୍ଷରେ ଦେଶରେ କୃଷକ ଏବଂ ଯୁବବର୍ଗଙ୍କ ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ ସରକାର ହାତକୁ ନେଇଛନ୍ତି। ବର୍ତ୍ତମାନର କରୋନା ମହାମାରୀ ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ୮୦ କୋଟିରୁ ଅଧିକ ଲୋକଙ୍କୁ ପ୍ରଶାସନିକ ସେବା ଯୋଗାଣ ଅବ୍ୟାହତ ରହିଥିବା ଯୋଗୀ କହିଛନ୍ତି।

Share