ମୋଦିଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ଦାବି

କୋଲକାତା/ଲକ୍ଷ୍ନୌ,୧ା୫: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ୪୦ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାବି କରିବାର ଦିନକ ପରେ ତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମୋଦି ଘୋଡ଼ାବେପାରରେ ସମ୍ପୃକ୍ତ। ତେଣୁ ତାଙ୍କ ପ୍ରାର୍ଥିତ୍ୱ ରଦ୍ଦ କରାଯାଉ ବୋଲି ଟିଏମ୍‌ସି ସୁପ୍ରିମୋ ଦାବି କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ୭୨ ବର୍ଷ କଟକଣା ଜାରି କରିବା ଉଚିତ ବୋଲି ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ କହିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ସୋମବାର ପଶ୍ଚିମବଙ୍ଗସ୍ଥିତ ଶ୍ରୀରାମପୁରର ଏକ ସଭାରେ ମମତାଙ୍କୁ ଟାର୍ଗେଟ କରି କହିଥିଲେ, ଟିଏମ୍‌ସିର ୪୦ ବିଧାୟକ ଆମ ସହ ସମ୍ପର୍କରେ ଅଛନ୍ତି, ଯେଉଁମାନେ ମେ ୨୩ରେ ଫଳାଫଳ ଆସିବା ପରେ ଦଳବଦଳ କରି ଭାଜପାକୁ ଆସିଯିବେ। ଏହାକୁ ନେଇ ହୁଗୁଳିରେ ମଙ୍ଗଳବାର ମମତା କହିଛନ୍ତି, ମୋଦି ଏକ ସାମ୍ବିଧାନିକ ପଦରେ ଥାଇ ଅସାମ୍ବିଧାନିକ କାର୍ଯ୍ୟ କରୁଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ହେବା ଅଧିକାର ତାଙ୍କର ନାହିଁ। ତାଙ୍କର ନାମାଙ୍କନପତ୍ର ଖାରଜ କରାଯାଉ। ସେ ପ୍ରଥମେ ଦିଲ୍ଲୀକୁ ଜଗନ୍ତୁ ତା’ପରେ ପଶ୍ଚିମବଙ୍ଗର ବିଧାୟକଙ୍କୁ କିଣିବେ ବୋଲି ମମତା ସମାଲୋଚନା କରିଛନ୍ତି। ସେହିପରି ମୋଦିଙ୍କ ମନ୍ତବ୍ୟ ଉତ୍ତେଜକ ଓ ଅଗଣତାନ୍ତ୍ରିକ। ମୋଦି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଦର୍ଶାଇ ତାଙ୍କ ପ୍ରାର୍ଥତ୍ପତ୍ର ରଦ୍ଦ ସହ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିକରି ଇସିଙ୍କ ନିକଟକୁ ପତ୍ର ଲେଖିଛି ଟିଏମ୍‌ସି। ସେହିପରି ଏସ୍‌ପି ଅଧ୍ୟକ୍ଷ ଅଖିଳେଶ କହିଛନ୍ତି, ମୋଦିଙ୍କ ମନ୍ତବ୍ୟ ଲଜ୍ଜାଜନକ। ୧୨୫ କୋଟି ଭାରତୀୟଙ୍କ ଆସ୍ଥା ହରାଇବା ପରେ ପ୍ରଧାନମନ୍ତ୍ରୀ ଏବେ ଅନୈତିକ ଉପାୟରେ ୪୦ ବିଧାୟକଙ୍କ ଦଳବଦଳ ଉପରେ ବିଶ୍ୱାସ କରୁଛନ୍ତି। ଏହା ତାଙ୍କର କଳାଧନ ମାନସିକତା। ମୋଦିଙ୍କ ନିର୍ବାଚନ ପ୍ରଚାର ଉପରେ ୭୨ ଘଣ୍ଟା ନୁହେଁ, ୭୨ ବର୍ଷ ଧରି କଟକଣା ଜାରି କରାଯିବା ଉଚିତ ବୋଲି ଅଖିଳେଶ ଟୁଇଟ୍‌ କରିଛନ୍ତି।

Share