ମୋଦିଙ୍କ ବୟାନ ପରେ ଭୟଭୀତ ପାକିସ୍ତାନ: କହିଲା, ସିନ୍ଧୁ ନଦୀକୁ ଅଟକାଇଲେ ମିଳିବ କଡ଼ା ଜବାବ

ଇସ୍‌ଲାମାବାଦ,୧୭।୧୦: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିନ୍ଧୁ ନଦୀର ପାଣିକୁ ଅଟକାଇ ଦିଆଯିବା ନେଇ କହିବା ପରେ ବିଚଳିତ ହୋଇପଡ଼ିଛି ପାକିସ୍ତାନ। ଏହାର ଜବାବରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ଡା. ମହମ୍ମଦ ଫୈଜଲ କହିଛନ୍ତି, ସିନ୍ଧୁ ହେଉଛି ଆପୋଷ ବୁଝାମଣା ସ୍ବରୂପ। ଏହାର ଆଧାରରେ ପାକିସ୍ତାନର ପାଣି ଉପରେ ବିଶେଷ ଅଧିକାର ରହିଛି। ଯଦି ଭାରତ ପାଣିକୁ ଅଟକାଏ ତେବେ ଏହା ଉସ୍‌କାଇବା ଭଳି କାମ ହେବ ଏବଂ ଏହାର ଜବାବ ଦିଆଯିବ ବୋଲି ମହମ୍ମଦ କହିଛନ୍ତି। ପାଣି ଉପରେ ପାକିସ୍ତାନର ଅଧିକାର ରହିଛି। ଏଥିସହ ସେ କହିଛନ୍ତି, ପୂର୍ବରୁ କୁଳଭୂଷଣ ଯାଦବଙ୍କୁ କନ୍ସୁଲାର ଆକ୍ସେସ୍‌ ଦିଆଯାଇଛି। ଏଥିପାଇଁ ଆଇନଗତ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ଅର୍ଥାତ୍‌ ପାକିସ୍ତାନ ସହଯୋଗର ହାତ ବଢ଼ାଉଥିବା ବେଳେ ଭାରତ ଏହାର ବିରୋଧରେ ଯାଉଛି ବୋଲି ମହମ୍ମଦ ପରୋକ୍ଷରେ କହିଛନ୍ତି। ସୂଚନାଯୋଗ୍ୟ ହରିୟାଣା ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ସମୟରେ ମୋଦି କହିଥିଲେ, ପାକିସ୍ତାନର ପାଣିକୁ ଅଟକାଇ ଦିଆଯିବ। ଏହି ବୟାନ ପରେ ପାକିସ୍ତାନ ଭୟଭୀତ ହୋଇଉଠିଛି।

Share