Categories: ଜାତୀୟ

ମୋଦିଙ୍କ ଭାଷଣ ପ୍ରସାରଣ ନ କରିବାରୁ ଚେନ୍ନାଇ ଦୂରଦର୍ଶନ ଅଧିକାରୀ ନିଲମ୍ବିତ

ଚେନ୍ନାଇ,୨।୧୦: ପ୍ରସାର ଭାରତୀ ପକ୍ଷରୁ ଚେନ୍ନାଇ ଦୂରଦର୍ଶନ କେନ୍ଦ୍ର ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇଆଇଟି ମାଡ୍ରାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଉଥିବା ଭାଷଣକୁ ଦୂରଦର୍ଶନରେ ପ୍ରସାରଣ ନ କରିବାରୁ ଚେନ୍ନାଇ ଦୂରଦର୍ଶନ କେନ୍ଦ୍ରର ଆସିଷ୍ଟାଣ୍ଟ ନିର୍ଦ୍ଦେଶକ ଆର ବସୁମତିଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ଆଇଆଇଟି ମାଡ୍ରାସର ଦୀକ୍ଷାନ୍ତ ସମାରୋହରେ ମୋଦି ଯୋଗଦେଇଥିଲେ। ଏହି ଅବସରରେ ସେ ସେଠାରେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ। ଏହାକୁ ଦୂରଦର୍ଶନର ପୋଡ଼ିଗଇ ଟିଭିରେ ପ୍ରସାରଣ କରିବାକୁ ବରିଷ୍ଠ ଅଧିକାରୀମାନେ ଅନୁମତି ଦେଇଥିଲେ। କିନ୍ତୁ ବସୁମତି ଜାଣିଶୁଣି ପ୍ରସାରଣକୁ ଅଟକାଇ ଦେଇଥିଲେ। ତେବେ ସିଭିଲ ସର୍ଭିସ ନିୟମ ୧୯୬୫ ଅନୁସାରେ ବସୁମତିଙ୍କୁ ନିଲମ୍ବିତ କରାଯାଇଛି ବୋଲି ପ୍ରସାର ଭାରତୀ ପକ୍ଷରୁ ଏକ ଲେଟର ଜାରି କରାଯାଇଛି। ତେବେ ବସୁମତିଙ୍କୁ କାହିଁକି ନିଲମ୍ବନ କରାଗଲା, ତା’ର କାରଣ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Share