ରାୟପୁର,୧୨।୧୨: ଉତ୍ତର-ପୂର୍ବ ଭାରତରେ ନାଗରିକତ୍ୱ (ସଂଶୋଧନ) ବିଲ୍(ସିଏବି)କୁ ନେଇ ଯେଉଁ ଅଶାନ୍ତ ବାତାବରଣ ସୃଷ୍ଟି ହାଇଛି ତାକୁ ନେଇ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ର କୃଷିମନ୍ତ୍ରୀ ତଥା କଂଗ୍ରେସ ନେତା ରବିନ୍ଦ୍ର ଚୌବେ। ଗୁରୁବାର ସେ କହିଛନ୍ତି ଭାରତ ମୋଦିଙ୍କ ହାତରେ ସୁରକ୍ଷିତ ନୁହେଁ। ଖବରଦାତାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ସେ ଏହା କହିଛନ୍ତି। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ସହ ଆଲୋଚନା କରିବା ଉଚିତ୍ ଯାହା ମୋଦି କରି ନାହାନ୍ତି ବୋଲି ସେ କହିଛନ୍ତି। ଯେଉଁମାନେ ଆମ ସମ୍ବିଧାନ ଗଢିଛନ୍ତି ତାହା ଗୋଟିଏ ଦିନରେ ନୁହେଁ ବରଂ ଏଥିପାଇଁ ବର୍ଷ ବର୍ଷ ସମୟ ଲାଗିଛି। କିନ୍ତୁ ଏବେ କେନ୍ଦ୍ର ସରକାର ଏହାକୁ କ୍ଷଣକରେ ପରିବର୍ତ୍ତନ କରିବା ଅର୍ଥ ହେଉଛି ସେମାନେ ସେମାନଙ୍କର ବିଫଳତାର ପ୍ରମାଣ ଦେଉଛନ୍ତି। ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସେମାନଙ୍କ ନିଷ୍ପତ୍ତିକୁ ପୁନର୍ବିଚାର କରିବା ଦରକାର। କାରଣ ଦେଶ ହିଟଲରଙ୍କ ନୀତିରେ ଚାଲିବ ନାହିଁ ବରଂ ଏକତା ଓ ଜନତାଙ୍କ ଗ୍ରହଣଯୋଗ୍ୟତାକୁ ନେଇ ଚାଲିବ ବୋଲି ଚୌବେ କହିଛନ୍ତି।