Categories: ଜାତୀୟ

ମୋଦି କ୍ୟାବିନେଟରେ ସାମିଲ ହୋଇପାରନ୍ତି କାମାଥ, ଦାସଗୁପ୍ତା

ନୂଆଦିଲ୍ଲୀ,୧୮ା୧(ଆଇଏଏନ୍‌ଏସ୍‌): ବ୍ରିକ୍ସ ବ୍ୟାଙ୍କ ଅଧ୍ୟକ୍ଷ କେ.ଭି. କାମାଥ ଏବଂ ଭାଜପାର ରାଜ୍ୟ ସଭା ସଦସ୍ୟ ସ୍ବପନ ଦାସଗୁପ୍ତାଙ୍କୁ ଖୁବ୍‌ଶୀଘ୍ର କେନ୍ଦ୍ର କ୍ୟାବିନେଟରେ ସାମିଲ କରାଯାଇପାରେ। ଏହି ଦୁଇ ଟେକ୍ନୋକ୍ରାଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ସୂତ୍ରରୁ ପ୍ରକାଶ। ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଦୀର୍ଘ ଅଭିଜ୍ଞତାସମ୍ପନ୍ନ ଭେଟେରେନ୍‌ ବ୍ୟାଙ୍କର କେ.ଭି. କାମାଥଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ କରାଯାଇପାରେ। ଦେଶ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବାବେଳେ କାମାଥ ଏହାର ସମାଧାନ ଦିଗରେ ସହାୟକ ହୋଇପାରନ୍ତି ବୋଲି ଆଶା କରାଯାଉଛି। ସେହିପରି ପଦ୍ମବିଭୁଷଣ ସ୍ବପନ ଦାସଗୁପ୍ତାଙ୍କୁ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ପଦ ମିଳିପାରେ। ଦେଶର ମର୍ଯ୍ୟାଦାଜନକ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ଅଶାନ୍ତି ଲାଗି ରହିଥିବାବେଳେ ଏହି ହିନ୍ଦୁତ୍ୱବାଦୀ ବିଚାରକଙ୍କ ଅଭିଜ୍ଞତା ତାକୁ ପ୍ରଶମିତ କରିବାରେ ସହାୟକ ହେବ ବୋଲି ମୋଦି ସରକାର ଚିନ୍ତା କରୁଛନ୍ତି। ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ହେଉଛନ୍ତି ଅନ୍ୟତମ ଟେକ୍ନୋକ୍ରାଟ, ଯାହାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ପାଇଁ ବିଚାର ଚାଲିଛି। ଅନୁରୂପ ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ ପ୍ରଭୁ ମଧ୍ୟ କ୍ୟାବିନେଟକୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Share