ବିଆରିଜ୍,୨୬ା୮(ପି.ଟି./ଆଇଏଏନ୍ଏସ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବିଆରିଜ୍ରେ ଆୟୋଜିତ ତିନିଦିନିଆ ଜି-୭ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇଛନ୍ତି। ଏହି ଅବସରରେ ସେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ଙ୍କ ସହିତ ବିଭିନ୍ନ ପାରସ୍ପରିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ସେହିପରି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନଙ୍କ ସହ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା ଓ ଶିକ୍ଷା କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ପାଇଁ ମୋଦି ଆଲୋଚନା କରିଥିବା ବହିର୍ବ୍ୟାପାର ମୁଖପାତ୍ର ରବୀଶ କୁମାର ଟୁଇଟ୍ କରିଛନ୍ତି। ଏହା ପୂର୍ବରୁ ତ୍ରିରାଷ୍ଟ୍ରୀୟ ଗସ୍ତରେ ଥିବା ମୋଦି ବାହାରିନ ରାଜଧାନୀ ମାନାମରେ ଶ୍ରୀନାଥଜୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ସେ ବାହାରିନ ରାଜା ହମାଦ ବିନ୍ ଇସା ଅଲ୍ ଖଲିଫାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବାହାରିନରେ ତାଙ୍କୁ ‘କିଙ୍ଗ୍ ହମାଦ୍ ଅର୍ଡର ଅଫ୍ ଦି ରେନେସାଁ’ ସମ୍ମାନ ପ୍ରଦାନ କରାଯାଇଥିଲା। ବାହାରିନ୍ ଷ୍ଟାଡିୟମ୍ରେ ମୋଦି ସେଠାରେ ବସବାସ କରୁଥିବା ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ବୋଧିତ କରିଥିଲେ।