Categories: ଜାତୀୟ

ମୋଦି ନେତା, ରାଜନାଥ ଉପନେତା

ନୂଆଦିଲ୍ଲୀ,୧୩ା୬(ପି.ଟି.): ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ବୁଧବାର ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭାରେ ଏହାର ନେତା ହୋଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଉପନେତା ନିଯୁକ୍ତ କରାଯାଇଛି। ସେହିପରି ରାଜ୍ୟ ସଭାରେ କେନ୍ଦ୍ରମନ୍ତ୍ରୀ ଥାଓ୍ବର ଚାନ୍ଦ୍‌ ଗେହଲଟଙ୍କୁ ନେତା ଏବଂ ପୀୟୂଷ ଗୋୟଲଙ୍କୁ ଉପନେତା ନିଯୁକ୍ତ କରାଯାଇଛି। ପୂର୍ବରୁ ରାଜ୍ୟ ସଭାରେ ନେତା ଥିବା ଅରୁଣ ଜେଟ୍‌ଲୀ ସ୍ବାସ୍ଥ୍ୟଗତ କାରଣରୁ ଏଥିରୁ ଅବ୍ୟାହତି ନେବାକୁ ଅନୁରୋଧ କରିଥିଲେ। ଭାଜପା ସଂସଦୀୟ କାର୍ଯ୍ୟକାରିଣୀ କମିଟିରେ ୩ ଜଣ ଓଡିଆ ଏମ୍‌ପିଙ୍କୁ ନିଆଯାଇଛି। ସେମାନେ ହେଲେ ସୁରେଶ ପୂଜାରୀ, ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ୍‌ ଓରାମ। ବରଗଡ଼ ଏମ୍‌ପି ପୂଜାରୀଙ୍କୁ ଲୋକ ସଭାରେ ଓଡିଶା, ମଣିପୁର ଏବଂ ତେଲେଙ୍ଗାନା ପାଇଁ ହୁଇପ୍‌ ନିଯୁକ୍ତ କରାଯାଇଛି। ସେହିପରି ଜୁଏଲ୍‌ ଲୋକ ସଭାରୁ ଏବଂ ଧର୍ମେନ୍ଦ୍ର ରାଜ୍ୟ ସଭାରୁ ସଂସଦୀୟ କମିଟିରେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟିରେ ସ୍ଥାନ ଦିଆଯାଇଛି। ସଞ୍ଜୟ ଜୟସ୍ବାଲଙ୍କୁ ମୁଖ୍ୟ ହୁଇପ୍‌ ନିଯୁକ୍ତ କରାଯିବା ସହ ପ୍ରଥମ ଥର ଲାଗି ୩ ମହିଳା ଏମ୍‌ପିଙ୍କୁ ହୁଇପ୍‌ ନିଯୁକ୍ତ କରାଯାଇଛି। ଏହାବ୍ୟତୀତ ୧୫ ଜଣ ଲୋକ ସଭାରେ ହୁଇପ୍‌ ନିଯୁକ୍ତ ହୋଇଛନ୍ତି। ଲୋକ ସଭାରୁ ଭାଜପା ସଂସଦୀୟ ଦଳ କାର୍ଯ୍ୟକାରିଣୀରେ ସ୍ବତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ନୀତିନ ଗଡକରୀ, ରବିଶଙ୍କର ପ୍ରସାଦ, ଅର୍ଜୁନ ମୁଣ୍ଡା, ନରେନ୍ଦ୍ର ସିଂ ତୋମରଙ୍କୁ ନିଆଯାଇଥିବାବେଳେ ରାଜ୍ୟ ସଭାରୁ ଜେ.ପି. ନଡ୍ଡା, ଓମ୍‌ପ୍ରକାଶ ମାଥୁର, ନିର୍ମଳା ସୀତାରାମନ ଏବଂ ପ୍ରକାଶ ଜାଭଡେକରଙ୍କୁ ନିମନ୍ତ୍ରିତ ସଦସ୍ୟ ରଖାଯାଇଛି। ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟଙ୍କୁ ଦଳର ସଂସଦୀୟ କାର୍ଯ୍ୟାଳୟ ପ୍ରଭାରୀ ଏବଂ ବାଲସୁବ୍ରମଣ୍ୟମ୍‌ କୁମାରସୁଙ୍କୁ ସଚିବ ଭାବେ ପୁନଃ ନିର୍ବାଚିତ କରାଯାଇଛି। ବରିଷ୍ଠ ନେତା ଲାଲ୍‌କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀ ଏମ୍‌ପି ନ ଥିବାରୁ ପ୍ରଥମ ଥର ଲାଗି ସେମାନଙ୍କୁ କମିଟିରେ ସ୍ଥାନ ମିଳିନାହିଁ। ସେହିପରି ଅରୁଣ ଜେଟ୍‌ଲୀ ଏବଂ ସୁଷମା ସ୍ବରାଜ ମଧ୍ୟ କମିଟିରେ ନାହାନ୍ତି। ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ୧୬ ତାରିଖରେ ଭାଜପା ସଂସଦୀୟ କାର୍ଯ୍ୟକାରିଣୀ କମିଟିର ପ୍ରଥମ ବୈଠକ ବସିବ। ଏହା ବ୍ୟତୀତ ସେହିଦିନ ସରକାର ଏକ ସର୍ବଦଳୀୟ ବୈଠକ ମଧ୍ୟ ଡାକିଛନ୍ତି।

Share