ମୋଦି ପ୍ରଥମେ ନିଅନ୍ତୁ କରୋନା ଭ୍ୟାକ୍ସିନ ତା’ପରେ ଆମେ ନେବୁ: ତେଜପ୍ରତାପ

ପାଟନା,୮ ।୧: କରୋନା ଭାଇରସ ସଂକ୍ରମଣ ଲୋକଙ୍କ ମନରେ ଯେତିକି ଭୟ ସୃଷ୍ଟି କରିଥିଲା ଏହାର ଭ୍ୟାକ୍ସିନ ବା ଟିକା ଆସିବା ପରେ ଲୋକଙ୍କ ମନରେ ସେତିକି ଉତ୍ସାହ ପରିଲକ୍ଷିତ ହୋଇଛି । ହେଲେ ଏବେ ଏହି କରୋନା ଭ୍ୟାକ୍ସିନକୁ ନେଇ ନାନା ପ୍ରଶ୍ନ ଉଠୁଥିବା ବେଳେ କେହି କେହି ଏହା ନେବାକୁ ଭୟ କରୁଥିବା ଦେଖାଯାଇଛି । ଆଉ କେହି ଏହାକୁ ରାଜନୈତିକ ରୂପ ମଧ୍ୟ ଦେଇ ସାରିଛନ୍ତି । ଦେଶରେ କରୋନା ଭାଇରସ ପାଇଁ ଡ୍ରାଏରନ୍ ଚାଲିଥିବା ବେଳେ ଏହା ପ୍ରଥମେ କାହାକୁ ମିଳିବ ତାକୁ ନେଇ ବି ପ୍ରଶ୍ନ ଉଠିଛି । ଇତିମଧ୍ୟରେ ବିହାରର ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)ନେତା ତେଜପ୍ରତାପ ଯାଦବ କହିଛନ୍ତି କରୋନା ଟିକା ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଅନ୍ତୁ ତା’ପରେ ଆମେ ନେବୁ । ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଜଣେ କଂଗ୍ରେସ ନେତା ଏହି କଥା କହିଥିଲେ । ଏହାସହ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ପ୍ରଥମେ କହିଥିଲେ କି ଏହା ହେଉଛି ଭାରତୀୟ ଜନତା ପାର୍ଟି(ଭାଜପା)ର ଟିକା ତେଣୁ ମୁଁ ଏହାକୁ ନେବି ନାହିଁ । ଏପଟେ ଦେଶରେ ଦୁଇଟି କରୋନା ଟିକାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଥିବା ବେଳେ ଏହା ଖୁବ୍‌ଶୀଘ୍ର ଉପଲବ୍ଧ ହେବ ବୋଲି କୁହାଯାଇଛି । ଆଉ ଏହି ଟିକା ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Share