Categories: ଜାତୀୟ

ମୋଦି-ମେଡିକାଲ ସଂଘ ମୁହାଁମୁହିଁ

ନୂଆଦିଲ୍ଲୀ,୧୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ମେଡିକାଲ ସଂଘ ମୁହାଁମୁହିଁ ହୋଇଛନ୍ତି। ମୋଦିଙ୍କ ଏକ ମନ୍ତବ୍ୟ ନେଇ ମେଡିକାଲ ସଂଘ କ୍ଷୋଭ ପ୍ରକାଶ କରିଛି। ଜାନୁୟାରୀ ୨ରେ ଏକ ବୈଠକରେ ମୋଦି କହିଥିଲେ ଯେ, ବଡ଼ବଡ଼ ଔଷଧ କମ୍ପାନୀଗୁଡ଼ିକ ଡାକ୍ତରମାନଙ୍କୁ ଉପହାର ଦେଉଛନ୍ତି। ଯାହା ଲାଞ୍ଚ ସହିତ ସମାନ। ତେଣୁ ଏପରି ନ କରିବା ପାଇଁ ସେ ବୈଠକରେ ଉପସ୍ଥିତ ଔଷଧ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ କହିଥିଲେ। କେତେକ କମ୍ପାନୀ ଡାକ୍ତରଙ୍କ ପାଇଁ ବିଦେଶ ଭ୍ରମଣ ଯୋଗାଇଦେବା ସହିତ ବିଭିନ୍ନ ଅନୈତିକ ଉପାୟ ଅବଲମ୍ବନ କରୁଥିବା ମଧ୍ୟ ମୋଦି କହିଥିଲେ। ମୋଦିଙ୍କ ଏହି ମନ୍ତବ୍ୟ ନେଇ ଭାରତୀୟ ମେଡିକାଲ ସଂଘ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ମୋଦି ଦେଇଥିବା ନିଜ ମନ୍ତବ୍ୟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରମାଣିତ କରାଯାଉ ନଚେତ୍‌ ନିସର୍ତ୍ତ କ୍ଷମାପ୍ରାର୍ଥନା କରାଯାଉ ବୋଲି ମେଡିକାଲ ସଂଘ ପକ୍ଷରୁ କୁହାଯାଇଛି। ଯଦି ସରକାରଙ୍କ ପାଖରେ ଏଭଳି କରୁଥିବା କମ୍ପାନୀଗୁଡ଼ିକ ଆବଶ୍ୟକ ପ୍ରମାଣ ଥିଲା ତେବେ ଆପରାଧୀକ ମାମଲା ରୁଜୁ ନ କରାଯାଇ ସେମାନଙ୍କୁ କାହିଁକି ବୈଠକକୁ ଡକା ଯାଇଥିଲା ବୋଲି ମେଡିକାଲ ସଂଘ ପ୍ରଶ୍ନ କରିଛି। ଏନେଇ ମେଡିକାଲ ସଂଘ ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଡାକ୍ତର ରାଜନ ଶର୍ମା ଏବଂ ସାଧାରଣ ସମ୍ପାଦକ ଆର୍‌.ବି. ଅଶକୋନ୍‌ଙ୍କ ସ୍ବାକ୍ଷର ଥିବା ବିଜ୍ଞପ୍ତି ଜାରି ହୋଇଛି। ଏଭଳି କାର୍ଯ୍ୟରେ ଲିପ୍ତଥିବା ଡାକ୍ତରଙ୍କ ତାଲିକା ପ୍ରକାଶ ପାଇଁ ସଂଘ ଦାବି କରିଛି।

Share