ନୂଆଦିଲ୍ଲୀ,୧୯।୯: ଦେଶର ଆର୍ଥିକ ସ୍ଥିତିକୁ ନେଇ କଂଗ୍ରେସର ବରିଷ୍ଠ ନେତା କପିଲ୍ ସିବଲ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଗୁରୁବାର ଟୁଇଟ୍ ପୁଣି ଥରେ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ସମ୍ପ୍ରତି ଦେଶରେ ‘ହାଉଡି ଅର୍ଥନୀତି, ରାଉଡି ରାଜନୀତି’ ଚାଲିଛି। ଏପରି କହି ସିବଲ୍ ପ୍ରଧାନମନ୍ତ୍ରୀ ରବିବାର ହ୍ୟୁଷ୍ଟନରେ ଯୋଗ ଦେବାକୁ ଯାଉଥିବା ହାଉଡି ମୋଦି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୦ ହଜାରରୁ ଅଧିକ ଭାରତୀୟ ଯୋଗ ଦେବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ମଧ୍ୟ ଏଥିରେ ଅତିଥିଭାବେ ଉପସ୍ଥିତ ରହିବେ। ସିବଲ୍ କହିଛନ୍ତି ୨୦୧୯-୨୦ରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଲକ୍ଷ୍ୟ ୧୭.୩ ପ୍ରତିଶତ ରଖାଯାଇଥିଲା। ତେବେ ବର୍ଷ ଅଧା ସୁଦ୍ଧା ଏହା ମାତ୍ର ୫ ପ୍ରତିଶତ ରହିଛି। ତେଣୁ ଅବଶିଷ୍ଟ ସମୟ ମଧ୍ୟରେ ଏହା ୨୭ ପ୍ରତିଶତ ହେଲେହିଁ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ। ଗତ ୪ ବର୍ଷ ମଧ୍ୟରେ ଆଗୁଆ ଟିକସ ବୃଦ୍ଧି ହାର ଧିମା ରହିଥିବା ସିବଲ କହିଛନ୍ତି।