Categories: ଜାତୀୟ

ମୋଦି ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ:ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ ରାଜୀବ

ନୂଆଦିଲ୍ଲୀ,୨୩ା୮(ପି.ଟି.):୧୯୮୪ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବୃହତ୍‌ ଜନାଦେଶ ପାଇ କ୍ଷମତାସୀନ ହୋଇଥିଲେ। ହେଲେ ସେ ତାକୁ ନେଇ କେବେ ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ। ରାଜୀବ କ୍ଷମତାର ଅପବ୍ୟବହାର କରି କେବେହେଲେ ଲୋକଙ୍କୁ ଭୟଭୀତ କରାଉ ନ ଥିଲେ କି କାହାକୁ ଧମକ ଦେଉ ନ ଥିଲେ। ଏପରି କି ତାଙ୍କ ଅମଳରେ କୌଣସି ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରାଯାଇ ନ ଥିଲା ବୋଲି ଗୁରୁବାର କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ପାଳନ ଅବସରରେ ନୂଆଦିଲ୍ଲୀର କେଡି ଯାଦବ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୋନିଆ ଏଥିରେ ସମ୍ବୋଧିତ କରି କହିଥିଲେ, ଏବେ କଂଗ୍ରେସ କେତେକ କଠିନ ଚ୍ୟାଲେଞ୍ଜକୁ ସାମ୍ନା କରୁଥିଲେ ହେଁ ବିଭାଜନକାରୀ ଶକ୍ତିଗୁଡ଼ିକ ବିରୋଧରେ ଆଦର୍ଶଗତ ଲଢ଼େଇ ଜାରି ରଖିବା ଜରୁରୀ ହୋଇପଡ଼ିଛି ବୋଲି ସୋନିଆ କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରାଯାଇଥିବାବେଳେ ସିବିଆଇ ଏବଂ ଇଡିର ଅପବ୍ୟବହାର ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଥିବା ଅଭିଯୋଗ ଆଣୁଥିବାବେଳେ ଦଳର ଅଧ୍ୟକ୍ଷା ସୋନିଆ ରାଜୀବ ଗାନ୍ଧୀଙ୍କ ଉଦାହରଣ ଦେଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଶିରୋମଣି ଅକାଳୀ ଦଳ ସୋନିଆଙ୍କ ସମାଲୋଚନାର ଜବାବ ରଖିଛି। ରାଜୀବଙ୍କ ଶାସନ ଅମଳରେ ଲୋକଙ୍କୁ ହତ୍ୟା କରି ବିଜୟର ପୁରସ୍କାର ଦିଆଯାଇଥିଲା ବୋଲି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ବେଳର କଥା ମନେପକାଇ ଦେଇଛନ୍ତି ଅକାଳୀ ଦଳ ମୁଖପାତ୍ର ମନ୍‌ଜିନ୍ଦର ସିଂ ସିର୍ସା। ଶିଖ୍‌ମାନଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଓ ଜଗଦୀଶ ଟାଇଟଲରଙ୍କ ବିରୋଧରେ କଂଗ୍ରେସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେ ସମାଲୋଚନା କରିଛନ୍ତି।
ଯେ, ୧୯୮୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ୪୦୦ରୁ ଅଧିକ ଆସନରେ ବିଜୟୀ ହେବା ପରେ ରାଜୀବ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ୩୦୩ ଆସନ ଦଖଲ କରିଥିବାବେଳେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Share