ନୂଆଦିଲ୍ଲୀ,୨।୧୨: ଦେଶର ଅଧିକାଂଶ ଭାଗରେ ପିଆଜ୍ ଦାମ୍ ଏବେ କିଲୋ ପିଛା ଶହେ ଟଙ୍କା ଛୁଇଁଲାଣି। ଏହାକୁ ନେଇ ରାଜନୀତିବି ହେଲାଣି ସରଗରମ। ସାଧାରଣ ଖାଉଟି ମଧ୍ୟ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ହେଲେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ସରକାରଙ୍କ ଯୋଗୁ ପିଆଜର ଦରବୃଦ୍ଧି ହୋଇଛି ବୋଲି କହିଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି(ଏଏପି)ନେତା ମନିଷ ସିସୋଦିଆ। ସେ କହିଛନ୍ତି କେନ୍ଦ୍ର ସରକାରଙ୍କ ବେପରୁଆ ମନୋଭାବ ଯୋଗୁ ହେଉ ଅବା ଜମାଖୋରଙ୍କୁ ଲାଭ ଦେବା ବାହାନାରେ ହେଉ କେବଳ ମୋଦି ସରକାରଙ୍କ ପାଇଁ ହିଁ ପିଆଜର ଦରବୃଦ୍ଧି ହୋଇଛି। ସାରା ଦେଶରେ ଏହି ସମସ୍ୟା ଦେଖାଯାଇଛି ସତ ହେଲେ ଦିଲ୍ଲୀରେ କେନ୍ଦ୍ର ସରକାର ଜାଣିଶୁଣି ଏହାର ମୂଲ୍ୟ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ସେପ୍ଟେମ୍ବର ପ୍ରଥମ ସପ୍ତାହରେ ୫୦ହଜାର ଟନ୍ ପିଆଜ ମହଜୁଦ ଅଛି ବୋଲି କହିଥିଲେ। ଯାହା ସାଧାରଣ ଲୋକଙ୍କ ଆବଶ୍ୟକତାକୁ ପୂରଣ କରିବ। ହେଲେ ଏବେ ଦିଲ୍ଲୀରେ ପିଆଜ ଦାମ୍ ଶହେ ଟଙ୍କାରେ ପହଞ୍ଚିବା ଲାଗି କେବଳ କେନ୍ଦ୍ର ସରକାର ଦାୟୀ ବୋଲି ସିସୋଦିଆ କହିଛନ୍ତି।