ମୋବାଇଲରେ ଗପି ଗାଡ଼ି ଚଳାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ

ଭୁବନେଶ୍ୱର,୨।୧(ବ୍ୟୁରୋ): ଏଣିକି ମୋବାଇଲରେ ଗପି ଗାଡ଼ି ଚଲାଇଲେ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ। ସଡ଼କ ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ପରିବହନ କମିଶନର ବୁଧବାର ସମସ୍ତ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମାଲବାହୀ ଯାନରୁ ଡେଇଁବା, ନିର୍ଦ୍ଧାରିତ ବେଗରୁ ଦ୍ରୁତ ଗତିରେ ଗାଡ଼ି ଚଲାଇବା, ଓଭରଲୋଡିଂ, ମାଲବାହୀ ଯାନରେ ଯାତ୍ରୀ ପରିବହନ କରି ଧରାପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ସୁପ୍ରିମକୋର୍ଟ କମିଟି ତ୍ରୈମାସିକ ସମୀକ୍ଷା କଲା ବେଳେ ଏଭଳିି ପ୍ରମାଣ ପାଇବା ସହ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମଦ୍ୟପ ଚାଳକଙ୍କର ଶତ ପ୍ରତିଶତ ଲାଇସେନ୍ସ କିଭଳି ବାତିଲ ହେବ ସେ ଦିଗରେ କଡ଼ା ପଦକ୍ଷେପ ନେବାକୁ ସମସ୍ତ ଆର୍‌ଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରକାଶଯୋଗ୍ୟ, ପୂର୍ବରୁ ମଦ୍ୟପ ଗାଡ଼ି ଚାଳକଙ୍କ ଲାଇସେନ୍ସ ବାତିଲ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ତା’ ସହ ଗିରଫ କରିବା ପାଇଁ ମଧ୍ୟ ଆଦେଶ ରହିଥିଲା।

Share