ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.)

ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ସମସ୍ୟାକୁ ବହୁଗୁଣିତ କରିଛି। ମରାମତି ନାମରେ ବୈଦ୍ୟୁତିକ ଉପକରଣ ବାହାର କରିଦିଆଯାଇଛି। ଫଳରେ ଦିନରେ ବି ସ୍ବାସ୍ଥ୍ୟକେନ୍ଦ୍ରର ଅନେକ ପ୍ରକୋଷ୍ଠରେ ଅନ୍ଧାର ରାଜୁତି କରୁଛି। ପରିସ୍ଥିତି ଏମିତି ହୋଇଛି ଯେ, ସକାଳ ବେଳା ବି ଟର୍ଚ୍ଚ ଲଗାଇ ଇଞ୍ଜେକ୍ସନ ଦେଉଛନ୍ତି ଫାର୍ମାସିଷ୍ଟ। ଏହାକୁ ନେଇ ରୋଗୀ, ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୋମବାର ଏବଂ ଗୁରୁବାର ଚିକିତ୍ସାଳୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥାଏ। ଫାର୍ମାସିଷ୍ଟ ୪୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥାନ୍ତି। ତେବେ ସୋମବାର ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଫାର୍ମାସିଷ୍ଟଙ୍କ ପ୍ରକୋଷ୍ଠ ଅନ୍ଧକାରମୟ ହୋଇପଡ଼ିଥିଲା। ଫଳରେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଟର୍ଚ୍ଚରେ ଫାର୍ମାସିଷ୍ଟ ଇଞ୍ଜେକ୍ସନ ଦେଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ଫାର୍ମାସିଷ୍ଟ ଈଶ୍ୱର ଚନ୍ଦ୍ର ସାହୁ କୁହନ୍ତି, ମରାମତି ନାମରେ କାମାକ୍ଷାନଗର ଜିଇଡି କର୍ତ୍ତୃପକ୍ଷ ସ୍ବାସ୍ଥ୍ୟକେନ୍ଦ୍ରର ଏକାଧିକ ପ୍ରକୋଷ୍ଠରୁ ବିଦ୍ୟୁତ୍‌ ତାର, ବଲ୍‌ବ ହୋଲ୍‌ଡର ବାହାର କରିଦେଇଛନ୍ତି। ଫଳରେ ଏପରି ଅସୁବିଧା ଦେଖାଦେଇଛି। ଜିଇଡି କର୍ମଚାରୀଙ୍କୁ କହିଲେ କୌଣସି ସୁଫଳ ମିଳୁନାହିଁ । ବିଦ୍ୟୁତ୍‌ ଉପକରଣ ସଜାଡ଼ିବାକୁ ୨ଜଣ ଜିଇଡି କର୍ମଚାରୀଙ୍କୁ ଡକାଯାଇଥିଲା। ହେଲେ ସେମାନେ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଯନ୍ତ୍ରୀଙ୍କ ଅସହଯୋଗ ଏବଂ ଇଛାଶକ୍ତି ଅଭାବରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି।

ଏ ନେଇ ଜିଇଡି କନିଷ୍ଠ ଯନ୍ତ୍ରୀ ସ୍ମିତାପ୍ରଜ୍ଞା ରଥ କୁହନ୍ତି, ମରାମତି ଲାଗି ବଜେଟ କମ୍‌ ଥିଲା। ଠିକାଦାରଙ୍କ ସମସ୍ୟା ଥିବାରୁ କାମ ଶେଷ ହୋଇନାହିଁ। ଅଳ୍ପଦିନ ମଧ୍ୟରେ କାମ ଶେଷ କରିବାକୁ ଚେଷ୍ଟା କରାଯାଉଛି। ବୈଦ୍ୟୁତିକ ଉପକରଣ ସଜାଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବଲ୍‌ବ ଲଗାଇବା ବ୍ୟବସ୍ଥା କରିବେ। ଡାକ୍ତରଖାନା ସୁପରେଣ୍ଟେଣ୍ଡେଣ୍ଟ ଡା. ରତ୍ନାକର ସାମଲ କୁହନ୍ତି, ଜିଇଡି ବିଭାଗ ଉପରେ ଭରସା କରି ବଲ୍‌ବ ଲଗାଯାଇ ପାରିନାହିଁ। ତୁରନ୍ତ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Share