ମୋବାଇଲ୍‌ ଲାଇଟ୍‌ରେ ବ୍ରେନ୍‌ ଅପରେଶନ୍‌ କଲେ ଡାକ୍ତର

ସେନ୍‌ ମେଗୁଏଲ୍‌,୩୦।୧: ଚିଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ହସ୍ପିଟାଲରେ ଜଣେ ଲୋକଙ୍କ ବ୍ରେନ୍‌ ଅପରେଶନ୍‌ ସମୟରେ ପାଓ୍ବାର କଟ୍‌ ହେବାରୁ ଡାକ୍ତରୀ ଦଳ ବାଧ୍ୟ ହୋଇ ମୋବାଇଲ୍‌ ଲାଇଟ୍‌ରେ ଅପରେଶନ୍‌ ଶେଷ କରିଛନ୍ତି। ଏବେ ଏହା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବାରୋସ ଲୁକୋ ହସ୍ପିଟାଲରେ ଏଭଳି ଘଟଣା ଘଟିଛି। ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଡାକ୍ତରୀ ଦଳ ଏଭଳି କରିଥିବା କୁହାଯାଉଛି। ତେବେ ଅପରେଶନ ସଫଳ ରହିଥିବା ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀ ଅର୍ତୁରୋ ଜୁନିଗା ସୂଚନା ଦେଇଛନ୍ତି। ୩୪ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କ ବ୍ରେନ୍‌ ଟ୍ର୍ୟୁମର ଅପରେଶନ ସମୟରେ ଅଚାନକ ପାଓ୍ବାର କଟ୍‌ ହୋଇଥିଲା। ହସ୍ପିଟାଲରେ ଥିବା ଜେନେରେଟର ମଧ୍ୟ କାମ କରି ନ ଥିଲା। ତେବେ ଡାକ୍ତରୀ ଦଳ ସାହାସର ସହିତ ଏଭଳି ପଦକ୍ଷେପ ଗ୍ରହଣ କରିଥିଲେ। ସୋସିଆଲ୍‌ ମିଡ଼ିଆରେ ୟୁଜର ଅପରେଶନ୍‌ କରିଥିବା ଡାକ୍ତରଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ହସ୍ପିଟାଲରେ ଜେନେରେଟର କାହିଁକି କାମ କଲାନି ଏହାର ତଦନ୍ତ ଜାରି ରହିଛି।

Share