Categories: ବାଣିଜ୍ୟ

ମୋବାଇଲ ଆପ୍‌ର ଶୁଭାରମ୍ଭ: ଚାଷୀଙ୍କୁ ଭଡ଼ାରେ ଟ୍ରାକ୍ଟର ଯୋଗାଇବେ ସରକାର

ନୂଆଦିଲ୍ଲୀ,୨୪-୯: କାର୍‌, ବାଇକ ଭଳି ଏଣିକି ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ଭଡ଼ାରେ ଆଣିହେବ। ଏଥିଲାଗି ସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ମୋବାଇଲ ଆପ୍‌ର ଶୁଭାରମ୍ଭ କରାଯାଇଛି। କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଙ୍ଗଳବାର ଏହି ଆପ୍‌ର ଶୁଭାରମ୍ଭ ଘୋଷଣା କରିଛନ୍ତି।

ଆପ୍‌ର ଶୁଭାରମ୍ଭ କରି ତୋମର କହିଛନ୍ତି ଯେ, ଲୋକେ ଦୂର ସ୍ଥାନକୁ ଯିବା ଲାଗି ଯେପରି ଆପ୍‌ ଜରିଆରେ ଓଲା, ଉବର କ୍ୟାବ୍‌ ବ୍ୟବହାର କରୁଛନ୍ତି, ଅନୁରୂପ ଭାବେ ଆପ୍‌ ବ୍ୟବହାର କରି ଚାଷୀମାନେ ଟ୍ରାକ୍ଟର ଠାରୁ ଆରମ୍ଭ କରି ଚାଷ କାର୍ଯ୍ୟରେ ବ୍ୟବହୃତ ସମସ୍ତ୍ର ଯନ୍ତ୍ରପାତିକୁ ଭଡ଼ା ସୂତ୍ରରେ ନେଇହେବ। କୃଷି ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ସାରା ଦେଶରେ କଷ୍ଟମ୍‌ ହାୟାରିଂ ସେଣ୍ଟର(ସିଏଚ୍‌ସି) ଫାର୍ମ ମେସିନେରି ପ୍ରତିଷ୍ଠା କରାଯାଇଛି। ଏହି ଆପ୍‌ ବ୍ୟବହାର କରି ଚାଷୀ ନିଜ ଜମିର ୫୦ କିମି ପରିସର ମଧ୍ୟରେ ଅବସ୍ଥିତ ସିଏଚ୍‌ସି ସେଣ୍ଟରରୁ ଟ୍ରାକ୍ଟର ସମେତ ଯେକୌଣସି ଚାଷ ଉପକରଣକୁ ଭଡ଼ାରେ ନେଇପାରିବେ। ଏହି ଆପ୍‌ ୧୨ ଭାଷାରେ ଉପଲବ୍ଧ। ଏହାଦ୍ୱାରା ଚାଷ ଲାଗି ଆବଶ୍ୟକ ଦାମୀ ଚାଷ ଉପକରଣ କିଣିବାକୁ ପଡିବ ନାହିଁ। ଫଳରେ ଚାଷୀଙ୍କ ଲଗାଣ ଖର୍ଚ୍ଚ ଅନେକାଂଶରେ କମିଯିବ ଓ ସେମାନଙ୍କର ଆୟ ବଢ଼ିବ ବୋଲି ତୋମର କହିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ୪୦ ହଜାର କଷ୍ଟମ ହାୟାରିଂ ସେଣ୍ଟର ଉକ୍ତ ଆପ୍‌ ସହ ନିଜକୁ ଯୋଡିଛନ୍ତି। ସେଠାରେ ୧ଲକ୍ଷ ୨୦ ହଜାର ପ୍ରକାର କୃଷି ଯନ୍ତ୍ରପାତି ଓ ଉପକରଣ ଉପଲବ୍ଧ ହେବ। ଚାଷୀ ଆପ୍‌ରେ ମେଶିନର ଫଟୋ ଦେଖି ଭଡା ଜାଣିବା ପରେ ଅର୍ଡର ଦେଇପାରିବେ। ସେହିପରି ତୋମର କୃଷି କିଷାନ ଆପ୍‌ର ମଧ୍ୟ ଶୁଭାରମ୍ଭ କରିଛନ୍ତି। କୃଷି ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଜିଓ ସଂଯୋଗ ହୋଇଥିବା ଫସଲ ପ୍ରଦର୍ଶନ ଏବଂ ମଞ୍ଜି ହବ୍‌ ସମ୍ପର୍କରେ ଏହି ଆପ୍‌ ମାଧ୍ୟମରେ ଚାଷୀ ଜାଣିପାରିବେ। ଫସଲ ପ୍ରଦଶର୍ର୍ନ ଫିଲ୍ଡରେ ସରକାର ନୂଆ ନୂଆ ଚାଷ ଉପକରଣ ଓ ପ୍ରଯୁକ୍ତି ସମ୍ପର୍କରେ ଜଣାଇପାରିବେ।

Share