ନୂଆଦିଲ୍ଲୀ,୧-୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ମୋବାଇଲ ଓ୍ବାଲେଟ ଲାଗି କଓ୍ବୋଇସି(ନୋ ୟୋର କଷ୍ଟମର) ଦାଖଲ କରିବା ସମୟସୀମାକୁ ଆହୁରି ୬ ମାସ ବଢ଼ାଇ ଦେଇଛି। ପୂର୍ବରୁ ଏହା ଚଳିତ ମାସ ୩୧ ଯାଏ ଥିଲା। ଏହାଦ୍ୱାରା ପ୍ରିପେଡ୍ ଓ୍ବାଲେଟ ଜାରି କରୁଥିବା କମ୍ପାନୀ ଆଶ୍ୱସ୍ତ ହୋଇଛନ୍ତି। ଆର୍ବିଆଇ ସମୟସୀମା ବଢ଼ାଇ ନ ଥିଲେ ଲକ୍ଷ ଲକ୍ଷ ମୋବାଇଲ ଓ୍ବାଲେଟ ଗ୍ରାହକଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଥା’ନ୍ତା। ସେମାନେ ଆଉ ନେଣଦେଣ କରିପାରି ନ ଥାନ୍ତେ। ଆର୍ବିଆଇର ଉକ୍ତ ନିଷ୍ପତ୍ତି ଯୋଗୁ ପେଟିଏମ୍, ମୋବିକ୍ୱିକ୍, ଏୟାରଟେଲ ମନି, ଆମାଜନ ପେ, ଓଲା ମନି, ପେୟୁ, ଫୋନ୍ପେ, ଆଇସିଆଇସିଆଇ ପକେଟ, ଏଚ୍ଡିଏଫ୍ସି ପେଜେପ୍,ଗୁଗଲ ପେ ଆଦି ଉପକୃତ ହେବେ। ସୂଚନାଥାଉ କି, ଆର୍ବିଆଇ କଓ୍ବୋଇସି କରିବା ଅବଧିକୁ ଚଳିତବର୍ଷ ଫେବୃୟାରୀ ପର୍ଯ୍ୟନ୍ତ ଧାର୍ଯ୍ୟ କରିଥିଲା। ପରେ କମ୍ପାନୀଗୁଡ଼ିକର ଅନୁରୋଧ କ୍ରମେ ଏହାକୁ ଅଗଷ୍ଟ ୩୧ ଯାଏ ବଢ଼ାଇଥିଲା। ଅଦ୍ୟାବଧି ୩୦ରୁ ୪୦ ପ୍ରତିଶତ ଗ୍ରାହକ ଓ୍ବାଲେଟ୍ର କଓ୍ବୋଇସି ଦାଖଲ ସମ୍ପୂର୍ଣ୍ଣ କରିନାହାନ୍ତି।